ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣରେ ସହାୟକ ହେବ: ସତ୍ୟବ୍ରତ ପଣ୍ଡା

ଆଧିପତ୍ୟ ବିସ୍ତାର ପାଇଁ ଚୀନ୍ ରଣକୌଶଳକୁ ପ୍ରତିହତ କରିବ କ୍ୟାବିନେଟ୍ ନିଷ୍ପତି

ଡାକସେବା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବୁଣାକାର, କାରିଗର ଓ ଅଣୁ ତଥା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ବଡ଼ ବଜାର ସହ ଯୋଡ଼ିବ

ଭୁବନେଶ୍ୱର, ୨୬/୧୧:ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୨୫ ନଭେମ୍ବରରେ କେନ୍ଦ୍ର କ୍ୟାବିନେଟ୍ ନିର୍ମାଣ ଓ ଭିତିଭୂମି ଯନ୍ତ୍ରପାତି ଉତ୍ପାଦନ ପାଇଁ ୧୧,୦୦୦ କୋଟି ଟଙ୍କା ଏବଂ ଡାକସେବା ଓ ଡାକ ଭବନର ଆଧୁନିକୀକରଣ ପାଇଁ ୨,୬୩୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହାକୁ ଓଡ଼ିଶା ବିଜେପି ସ୍ୱାଗତ କରିଛି । ଏନେଇ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଭିତିଭୂମିରେ ବଢ଼ୁଥିବା ସରକାରୀ ନିବେଶ ଭାରତୀୟ ଯନ୍ତ୍ରପାତି ଶିଳ୍ପ ପାଇଁ ଏକ ବଡ଼ ବଜାର ସୃଷ୍ଟି କରୁଛି । ଏହା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ କରିବାରେ ସହାୟକ ହେବ ।

ଶ୍ରୀ ପଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ମୂଳଧନ ବ୍ୟୟ ୨୦୧୩-୧୪ ଆର୍ଥିକ ବର୍ଷରେ ୧.୮୮ ଲକ୍ଷ କୋଟି ଟଙ୍କାରୁ ୨୦୨୫–୨୬ରେ ୧୦.୬୯ ଲକ୍ଷ କୋଟି ଟଙ୍କାକୁ ବଢ଼ିଛି । ଦରଦାମ ବୃଦ୍ଧିର ପ୍ରଭାବକୁ ବାଦ ଦେଲେ ଏହା ୨୦୧୩-୧୪ ଆର୍ଥିକ ବର୍ଷର ବ୍ୟୟର ୫.୭ ଗୁଣ । ଜିଡିପିରେ ଏହାର ଅଂଶ ୧.୭ରୁ ୩.୧ ପ୍ରତିଶତକୁ ବଢ଼ିଛି ଏବଂ ୨୦୨୬-୨୭ କେନ୍ଦ୍ର ବଜେଟରେ ଏଥିପାଇଁ ୧୨.୨୨ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସଡ଼କ, ରେଳ ଓ ବନ୍ଦର ପ୍ରକଳ୍ପରୁ ବଢ଼ୁଥିବା ଯନ୍ତ୍ରପାତି ଚାହିଦାକୁ ଦେଶୀୟ ଉତ୍ପାଦନ ସହ ଯୋଡ଼ିବାରେ ନୂଆ ଯୋଜନା ସହାୟକ ହେବ ।

ଚୀନ ଓ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ବୃହତମ ନିର୍ମାଣ ଯନ୍ତ୍ରପାତି ବଜାର । ୨୦୨୪-୨୫ରେ ୯୭,୫୦୦ କୋଟି ଟଙ୍କାର ଏହି ବଜାରର ପ୍ରାୟ ୪୫ ପ୍ରତିଶତ ଚାହିଦା ଆମଦାନିରୁ ପୂରଣ ହେଉଥିଲା । ୨୦୨୯-୩୦ ସୁଦ୍ଧା ବଜାର ୨,୨୮,୧୦୦ କୋଟି ଟଙ୍କା ଛୁଇଁବାର ଆକଳନ ରହିଛି । ଆଠ ବର୍ଷର ଏହି ଯୋଜନାରେ ସୁଡ଼ଙ୍ଗ ଖୋଳା ଯନ୍ତ୍ର, ପାଇଲିଂ ରିଗ୍‌, ଡ୍ରିଲିଂ ମେସିନ୍ ଓ ବନ୍ଦର କ୍ରେନ୍ ସମେତ ସାତ ବର୍ଗର ଯନ୍ତ୍ରପାତି ଏବଂ ପାଂଚ ବର୍ଗର ଯନ୍ତ୍ରାଂଶ ସାମିଲ । ଏହା ୨୧,୦୦୦ କୋଟି ଟଙ୍କାର ନିବେଶ ଆକର୍ଷଣ କରିବ ଏବଂ ୨୨,୫୦୦ କୋଟି ଟଙ୍କାର ଆମଦାନି ବଦଳରେ ଦେଶୀୟ ଯୋଗାଣକୁ ସୁଯୋଗ ଦେବ ବୋଲି ସରକାର ଆକଳନ କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଚୀନ ୧୮ ନଭେମ୍ବରରୁ ସୁଡ଼ଙ୍ଗ ଖୋଳା ଯନ୍ତ୍ର ଓ ଜରୁରୀ ଯନ୍ତ୍ରାଂଶର ରପ୍ତାନି ଉପରେ ଲାଇସେନ୍ସ ନିୟନ୍ତ୍ରଣ ଲାଗୁ କରିଛି । ସାମ୍ପ୍ରତିକ ବିଶ୍ୱ କ୍ଷମତା ରାଜନୀତିରେ ଆଧିପତ୍ୟ ବିସ୍ତାର ପାଇଁ ଏହା ଆଜିକାଲି ଅନ୍ୟତମ ପ୍ରଭାବୀ ରଣକୌଶଳ ହୋଇଉଠିଛି । ଗତକାଲିର କ୍ୟାବିନେଟ୍ ନିଷ୍ପତି ଏହି ରଣକୌଶଳକୁ ପ୍ରତିହତ କରିପାରିବ । ଉଦାହରଣ ସ୍ୱରୂପ ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍‌ର ୭ କିଲୋମିଟର ସମୁଦ୍ରତଳ ସୁଡ଼ଙ୍ଗ ଭଳି ପ୍ରକଳ୍ପରେ ଜରୁରୀ ଯନ୍ତ୍ରାଂଶ ପହଁଚିବାରେ ବିଳମ୍ବ ହେଲେ ଖନନ ଅଟକିପାରେ ଓ ଖର୍ଚ୍ଚ ବଢ଼ିପାରେ । ଦେଶୀୟ ଉତ୍ପାଦନ ବଢ଼ିଲେ ଦ୍ରୁତଗାମୀ ରେଳ, ଭୂତଳ ମେଟ୍ରୋ ଓ ରାଜପଥ ସୁଡ଼ଙ୍ଗ ପ୍ରକଳ୍ପରେ ଆମଦାନୀ ନିର୍ଭରତା କମିବ ଏବଂ ଓଡ଼ିଶାର ଇସ୍ପାତ ଓ ଯନ୍ତ୍ରାଂଶ ଶିଳ୍ପ ପାଇଁ ନୂଆ ଯୋଗାଣ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ପାଂଚବର୍ଷର ଡାକ ଆଧୁନିକୀକରଣ ଯୋଜନାରେ ୧,୧୪୧ କୋଟି ଟଙ୍କା ଡାକ ସଂଚାଳନ ଏବଂ ୧,୪୯୧ କୋଟି ଟଙ୍କା ଡାକ ଭବନ ଓ ସମ୍ପତି ପରିଚାଳନା ପାଇଁ ମଞ୍ଜୁର ହୋଇଛି । ଏଥିରେ ୩୩,୫୦୦ ଗ୍ରାମୀଣ ଡାକଘରର ସୁବିଧା ବୃଦ୍ଧି, ୬୭ଟି ପାର୍ସଲ ହବ୍ ଓ ୫୧୦ଟି ପ୍ୟାକିଂ କେନ୍ଦ୍ର ସହ ଐତିହ୍ୟସମ୍ପନ୍ନ ଡାକ ଭବନର ସଂରକ୍ଷଣ ସାମିଲ । ଗାଁ ନିକଟରେ ପାର୍ସଲ ସେବା ସୁବିଧା ବଢ଼ିଲେ ଓଡ଼ିଶାର ବୁଣାକାର, କାରିଗର, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜ ଉତ୍ପାଦକୁ ଦୂର ବଜାରକୁ ସହଜରେ ପଠାଇପାରିବେ । ଐତିହ୍ୟସମ୍ପନ୍ନ ଡାକଘର ଗୁଡିକର ପୁନଃନିର୍ମାଣ ଓ ପୁନରୁଦ୍ଧାର ସମ୍ଭବ ହେବ । ଏହା ସହ ତାମିଲନାଡୁର କାମରାଜାର ବନ୍ଦରର ଦ୍ୱିତୀୟ କନ୍ଟେନର ଟର୍ମିନାଲ ପାଇଁ ୪,୨୮୮ କୋଟି ଟଙ୍କା ଅନୁମୋଦିତ ହୋଇଛି । ଆସାମର ଶିଲଚର ନିକଟ ଡୋଲୁରେ ୨,୦୧୪ କୋଟି ଟଙ୍କାର ନୂଆ ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ବରାକ୍ ଉପତ୍ୟକାର ବିମାନ ଯୋଗାଯୋଗକୁ ସୁଦୃଢ଼ କରିବ । ଦେଶରେ ନିର୍ମାଣ ଯନ୍ତ୍ରପାତି ତିଆରି ବଢ଼ାଇବା, ବନ୍ଦର ଓ ବିମାନ ଯୋଗାଯୋଗ ସୁଦୃଢ଼ କରିବା ଏବଂ ଡାକସେବା ମାଧ୍ୟମରେ ସାଧାରଣ ନାଗରିକ ଓ ଅଣୁ ତଥା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ବଡ଼ ବଜାର ସହ ଯୋଡ଼ିବ । ଏହି ନିଷ୍ପତି ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାରର ଅର୍ଥନୀତି କରିବା ଲକ୍ଷ୍ୟକୁ ସହୟତା କରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ମୁଖପାତ୍ର ଶ୍ରୀ ଧିରେନ ସେନାପତି ଓ ଶ୍ରୀ ସଞ୍ଜୟ ରଥ ଉପସ୍ଥିତ ଥିଲେ ।