ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସର ହ୍ୱିପ୍

୨୯ରେ ସୁଦ୍ଧା ଦିଲ୍ଲୀରେ ରହିବାକୁ ସାଂସଦଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୭/୧୧: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ନିଜର ସମସ୍ତ ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି କଂଗ୍ରେସ। ନଭେମ୍ବର ୨୯ ତାରିଖ ସକାଳ ୧୦ଟା ସୁଦ୍ଧା ସମସ୍ତ ସାଂସଦଙ୍କୁ ଦିଲ୍ଲୀରେ ଉପସ୍ଥିତ ରହିବାକୁ ଦଳ ନିର୍ଦ୍ଦେଶ ଦେଇଛି। ସଂସଦରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ରାଜନୈତିକ ରଣନୀତିକୁ ଦୃଷ୍ଟିରେ ରଖି ଦଳ ଏହି ପଦକ୍ଷେପ ନେଇଛି।

ସୂଚନା ଅନୁସାରେ, ନଭେମ୍ବର ୩୦ରୁ ସଂସଦର ସ୍ୱତନ୍ତ୍ର ବୈଠକ ପୁଣି ଆରମ୍ଭ ହେବ। ଏଥିପାଇଁ ଲୋକସଭାର ବୈଠକ ନଭେମ୍ବର ୩୦ରେ ଏବଂ ରାଜ୍ୟସଭାର ବୈଠକ ଡିସେମ୍ବର ୨ରେ ବସିବାକୁ ପ୍ରସ୍ତାବ ରହିଛି। ଉଭୟ ସଦନର କାର୍ଯ୍ୟକାଳ ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିପାରେ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି।

ଏହି ଅଧିବେଶନରେ ମହିଳା ସଂରକ୍ଷଣ ଏବଂ ଲୋକସଭା ଆସନର ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ସମ୍ପର୍କିତ ପ୍ରସ୍ତାବ ଉପରେ ଚର୍ଚ୍ଚା ହେବ। ବିଶେଷ କରି ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଏବଂ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ସହ ଜଡ଼ିତ ସାମ୍ବିଧାନିକ ସଂଶୋଧନ ବିଲ୍‌କୁ ନେଇ ଆଲୋଚନା ହେବ। ତେବେ ଏହି ବିଲ୍‌ଗୁଡ଼ିକ ଅଧିବେଶନରେ ଆଗତ ହେବ କି ନାହିଁ, ସେନେଇ ସ୍ପଷ୍ଟ ଘୋଷଣା ହୋଇନାହିଁ।

ଅନ୍ୟପଟେ, ଏହି ଅଧିବେଶନକୁ ନେଇ କଂଗ୍ରେସ ମଧ୍ୟ ନିଜର ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସଂସଦୀୟ ରଣନୀତି କମିଟିର ମଧ୍ୟ ବୈଠକ ଡକାଯାଇଛି।