କୋଭିଡ୍‌ଠାରୁ ବି ଅତି ଭୟଙ୍କର ବର୍ଷ ହେବ ୨୦୨୭!

ଖାଦ୍ୟ ଓ ନଗଦ ଟଙ୍କା ମହଜୁଦ ରଖିବାକୁ ପରାମର୍ଶ

ନୂଆଦିଲ୍ଲୀ, ୨୭/୧୧: କୋଭିଡ୍‌-୧୯ ମହାମାରୀର ଭୟାବହତା ଏବେ ବି ଲୋକଙ୍କ ମନରୁ ଲିଭିନାହିଁ। ଲକ୍‌ଡାଉନ୍‌, ଆର୍ଥିକ ସଙ୍କଟ, ଚାକିରି ହରାଇବା ଏବଂ ଜୀବନଜୀବିକା ଉପରେ ପଡ଼ିଥିବା ପ୍ରଭାବକୁ ଲୋକେ ଭୁଲିନାହାନ୍ତି। ଏଭଳି ସ୍ଥିତିରେ ୨୦୨୭ ମସିହାକୁ ନେଇ ଜଣେ AI ଗବେଷକଙ୍କ ଚେତାବନୀ ଏବେ ଚର୍ଚ୍ଚାରେ। ସେ କହିଛନ୍ତି, ଆଗାମୀ ଦିନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଯୋଗୁଁ ସମାଜ ଓ ଅର୍ଥନୀତି ଉପରେ ଏପରି ପ୍ରଭାବ ପଡ଼ିପାରେ, ଯାହା କୋଭିଡ୍‌ ସମୟର ସଙ୍କଟଠାରୁ ମଧ୍ୟ ଅଧିକ ଗମ୍ଭୀର ହୋଇପାରେ।

ଏହି ଚେତାବନୀ ଦେଇଥିବା ଗବେଷକ ହେଉଛନ୍ତି ନିକୋଲା ଜୁର୍କୋଭିକ୍‌। ସେ ଏଆଇ ସୁରକ୍ଷା ଓ ଏହାର ସମ୍ଭାବ୍ୟ ବିପଦ ଉପରେ କାମ କରିଛନ୍ତି। ନଭେମ୍ବର ୨୬ରେ ଆମେରିକାର ଥ୍ୟାଙ୍କସଗିଭିଂ ଅବସରରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜ ପରିବାର ଓ ନିକଟ ସମ୍ପର୍କୀୟଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଥିଲେ।

ସେ ଚିଠିରେ ଉଲ୍ଲେଖ କରିଥିଲେ ଯେ, ଏଆଇର ଦ୍ରୁତ ବିକାଶକୁ ନେଇ ସେ ଦୀର୍ଘଦିନ ଧରି ଚିନ୍ତିତ ଅଛନ୍ତି। ଏବେ ସ୍ଥିତି ଏପରି ହୋଇଛି ଯେ, ଆଗାମୀ ଦିନରେ ମଣିଷ ନିଜେ ତିଆରି କରିଥିବା ପ୍ରଯୁକ୍ତି ଉପରେ ନିୟନ୍ତ୍ରଣ ହରାଇପାରେ।

ଚିଠିରେ ସେ ଲେଖିଥିଲେ, ଏହା ପ୍ରଥମ ଥ୍ୟାଙ୍କସଗିଭିଂ, ଯେଉଁଥିରେ ଆସନ୍ତା ବର୍ଷ ପୁଣି ଏହି ପର୍ବ ପାଳନ କରିବାକୁ ଆମେ ବଞ୍ଚିଥିବୁ କି ନାହିଁ, ସେ ନେଇ ତାଙ୍କର ସନ୍ଦେହ ରହିଛି।

ତାଙ୍କ ଆଶଙ୍କା ଅନୁଯାୟୀ, ୨୦୨୭ରେ ଏଆଇ ଯୋଗୁଁ ଏପରି ଏକ ବଡ଼ ସଙ୍କଟ ଉପୁଜିପାରେ, ଯାହାର ପ୍ରଭାବ କୋଭିଡ୍‌ ମହାମାରୀଠାରୁ ମଧ୍ୟ ଅଧିକ ବ୍ୟାପକ ହୋଇପାରେ।

ଜୁର୍କୋଭିକ୍‌ ତାଙ୍କ ଚିଠିରେ ମୁଖ୍ୟତଃ ତିନୋଟି ବଡ଼ ବିପଦ ଉପରେ ଆଶଙ୍କା ପ୍ରକାଶ କରିଛନ୍ତି। ପ୍ରଥମଟି ହେଉଛି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଉପରେ ଏଆଇର ଆକ୍ରମଣ। ଏଆଇ ନିଜ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ଏହା ବିଦ୍ୟୁତ୍‌ ଯୋଗାଣ, ବ୍ୟାଙ୍କିଂ, ଯୋଗାଯୋଗ ଓ ଅନ୍ୟାନ୍ୟ ଜରୁରୀ ସେବାର କମ୍ପ୍ୟୁଟର ବ୍ୟବସ୍ଥାକୁ ଟାର୍ଗେଟ୍‌ କରିପାରେ। ଫଳରେ ଲୋକଙ୍କ ଦୈନନ୍ଦିନ ଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇପାରେ।

ଦ୍ୱିତୀୟ ହେଉଛି ଜୈବିକ ଅସ୍ତ୍ର ତିଆରିରେ ଏଆଇର ବ୍ୟବହାର। ଦୁର୍ବୃତ୍ତ କିମ୍ବା ଆତଙ୍କବାଦୀ ସଂଗଠନ ଏଆଇର ସହାୟତା ନେଇ ବିପଜ୍ଜନକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିବାର ଉଦ୍ୟମ କରିପାରନ୍ତି। ଏହା ମାନବ ସମାଜ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ।

ତୃତୀୟ ହେଉଛି ମଣିଷ ହାତରୁ ନିଷ୍ପତ୍ତି ନେବାର କ୍ଷମତା ଚାଲିଯିବା। ଶକ୍ତିଶାଳୀ ଏଆଇ ବ୍ୟବସ୍ଥା ମଣିଷଠାରୁ ଅଧିକ ଦକ୍ଷ ହୋଇଗଲେ ଏବଂ ତାହାକୁ ପର୍ଯ୍ୟାପ୍ତ ନିୟନ୍ତ୍ରଣରେ ରଖାନଗଲେ, ଏହାର ନିଷ୍ପତ୍ତି ମଣିଷର ସ୍ୱାର୍ଥ ବିରୋଧୀ ହୋଇପାରେ। ଏପରି ସ୍ଥିତିରେ ମଣିଷ ନିଜ ଭବିଷ୍ୟତ ଉପରେ ନିୟନ୍ତ୍ରଣ ହରାଇବାର ଆଶଙ୍କା ରହିଛି।

ସେ କହିଛନ୍ତି , ଯଦି ଏଆଇ ବିକାଶ ଉପରେ କୌଣସି କଠୋର ଅନ୍ତର୍ଜାତୀୟ ନିୟମ ଲାଗୁ ନହୁଏ, ତେବେ ୨୦୨୭ ସୁଦ୍ଧା ଏଆଇ ନିଜକୁ ନିଜେ ଉନ୍ନତ କରିବା ସହ ମାନବ ବୁଦ୍ଧିମତ୍ତାକୁ ମଧ୍ୟ ଅତିକ୍ରମ କରିପାରେ।

ଜୁର୍କୋଭିକ୍‌ଙ୍କ ଆକଳନ ଆହୁରି ଚିନ୍ତାଜନକ। ତାଙ୍କ କହିବା ଅନୁଯାୟୀ, ଏଆଇ ବିକାଶକୁ ରୋକିବା କିମ୍ବା ନିୟନ୍ତ୍ରଣ କରିବା ଦିଗରେ ବଡ଼ ପଦକ୍ଷେପ ନିଆନଗଲେ, ୨୦୩୦ ମସିହା ଶେଷ ସୁଦ୍ଧା ମାନବଜାତିର ବିନାଶ ହେବା କିମ୍ବା ନିଜ ନିଷ୍ପତ୍ତି ନେବାର କ୍ଷମତା ହରାଇବାର ସମ୍ଭାବନା ପ୍ରାୟ ୫୦ ପ୍ରତିଶତ ହୋଇପାରେ।

ସେହିପରି ୨୦୨୭ ଶେଷ ସୁଦ୍ଧା ଲୋକେ ସାଧାରଣ ଭାବେ ଛୁଟିଦିନ ପାଳନ କରିବା ସ୍ଥିତିରେ ନଥିବାର ୫ରୁ ୨୦ ପ୍ରତିଶତ ସମ୍ଭାବନା ଥିବା ସେ ଆକଳନ କରିଛନ୍ତି। ତେବେ ଏହି ସଂଖ୍ୟାଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଆକଳନ। ଏହା କୌଣସି ବୈଜ୍ଞାନିକ ଭାବେ ପ୍ରମାଣିତ ପୂର୍ବାନୁମାନ ନୁହେଁ।