ଡିଲିମିଟେସନ ବିଲ୍ କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ
ମହିଳା ସଂରକ୍ଷଣ ବିଲ୍ ସଂଶୋଧନକୁ ଅନୁମୋଦନ
ସବୁ ରାଜ୍ଯରେ ୫୦% ବଢ଼ିବ ଲୋକସଭା ଓ ବିଧାନସଭା ଆସନ
ନୂଆଦିଲ୍ଲୀ, ୨୭/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସବୁ ରାଜ୍ୟର ଲୋକସଭା ଆସନ ସଂଖ୍ୟାରେ ସମାନ ଭାବେ ୫୦% ବୃଦ୍ଧି କରିବାକୁ ମଞ୍ଜୁରୀ ମିଳିଛି। ଏହି ନିଷ୍ପତ୍ତି ଅନୁଯାୟୀ, ୨୦୫୧ ମସିହା ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନର ଅନୁପାତ ଅପରିବର୍ତ୍ତିତ ରହିବ।
ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ) ଓ ମହିଳା ସଂରକ୍ଷଣ ବିଲ୍ରେ ସଂଶୋଧନ ମାଧ୍ୟମରେ ସମସ୍ତ ରାଜ୍ୟର ଲୋକସଭା ଆସନ ୫୦% ବୃଦ୍ଧି କରାଯିବ। ଏହାଫଳରେ ବର୍ତ୍ତମାନର ୫୪୩ଟି ଆସନ ବଢ଼ି ପ୍ରାୟ ୮୧୫କୁ ପହଞ୍ଚିବ। ମହିଳାଙ୍କ ପାଇଁ ୨୮୦ ଆସନ ସଂରକ୍ଷିତ ରହିପାରେ।
ବିଧାନସଭା ଆସନ ମଧ୍ୟ ୫୦ ପ୍ରତିଶତ ବୃଦ୍ଧି କରାଯିବ। ଓଡ଼ିଶା ବିଧାନସଭା ଆସନ ୧୪୭ ଥିବା ବେଳେ ୨୨୪କୁ ବୃଦ୍ଧି ପାଇପାରେ।
୧୯୭୧ ଜନଗଣନା ଆଧାରରେ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ଆସନ ବଣ୍ଟନର ବର୍ତ୍ତମାନର ଅନୁପାତକୁ ଆଗାମୀ ୨୫ ବର୍ଷ ଅର୍ଥାତ୍ ୨୦୫୧ ପର୍ଯ୍ୟନ୍ତ ସ୍ଥିର ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ୍ ଆଗାମୀ ୨୫ ବର୍ଷ ଯାଏଁ ଏହି ଆସନ ସଂଖ୍ୟାରେ କୌଣସି ପରିବର୍ତ୍ତନ ହେବ ନାହିଁ।
ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଆଶଙ୍କା କରୁଥିଲେ ଯେ ଜନସଂଖ୍ୟା ଆଧାରରେ ସୀମା ପୁନଃନିର୍ଦ୍ଧାରଣ ହେଲେ ଲୋକସଭାରେ ସେମାନଙ୍କର ପ୍ରତିନିଧିତ୍ୱ କମିଯିବ। ସମାନୁପାତିକ ଭାବେ ୫୦% ଆସନ ବୃଦ୍ଧି ଓ ୨୦୫୧ ପର୍ଯ୍ୟନ୍ତ ଅନୁପାତ ସ୍ଥିର ରହିବା ଦ୍ୱାରା ସବୁ ରାଜ୍ୟର ଆସନ ବଢ଼ିବ ଏବଂ କାହାର ପ୍ରତିନିଧିତ୍ୱ ହ୍ରାସ ପାଇବ ନାହିଁ।
ଏହି ସଂଶୋଧିତ ବିଲ୍ ମାଧ୍ୟମରେ ଲୋକସଭାରେ ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ଲାଗୁ କରିବାର ପଥ ସୁଗମ ହେବ।
ଆସନ୍ତା ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ସରକାର ଏହି ସଂଶୋଧିତ ସାମ୍ବିଧାନିକ ବିଲ୍ ଉପସ୍ଥାପନ କରିବେ।