ଯୁବକଙ୍କ ମୃତ୍ୟୁ ପରେ ଆକ୍ସନ୍, ଆଜି ବନ୍ଦ ରହିବ ବାଲିଯାତ୍ରାର ସବୁ ଦୋଳି

ପୁଣି ହେବ ସୁରକ୍ଷା ଯାଞ୍ଚ

କଟକ, ୨୭/୧୧: ଚଳିତବର୍ଷ କଟକ ବାଲିଯାତ୍ରାରେ ଘଟିଥିବା ଅଘଟଣ ପରେ ବଡ଼ ନିଷ୍ପତ୍ତି ନେଇଛି ପ୍ରଶାସନ। ଆଜି ବାଲିଯାତ୍ରା ପଡ଼ିଆରେ ଥିବା ସମସ୍ତ ଦୋଳି ବନ୍ଦ ରହିବ। ଗତକାଲି ରାମଦୋଳିରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ଏହି ପଦକ୍ଷେପ ନିଆଯାଇଛି।

ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଓ ପ୍ରଶାସନ ଅଧିକ ସତର୍କ ହୋଇଛନ୍ତି। ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଦୋଳି ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି। ଦୋଳିଗୁଡ଼ିକର ଆବଶ୍ୟକୀୟ କାଗଜପତ୍ର ଓ ଅନୁମତି ସମ୍ପର୍କିତ ଡକ୍ୟୁମେଣ୍ଟ ପୁଣିଥରେ ଯାଞ୍ଚ କରାଯିବ। ଏହାସହ ଦୋଳିଗୁଡ଼ିକର ବୈଷୟିକ ଦିଗକୁ ନେଇ ଏକ ଟେକ୍ନିକାଲ୍ ଟିମ୍‌ର ମତାମତ ନିଆଯିବ।

ଟେକ୍ନିକାଲ୍ ଟିମ୍‌ର ଯାଞ୍ଚ ଓ ମତାମତ ଆସିବା ପରେ ହିଁ ଦୋଳି ପୁଣି ଚାଲିବ କି ନାହିଁ, ସେନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। କେବଳ ଫିଟନେସ୍ ସାର୍ଟିଫିକେଟ୍ ଥିଲେ ହେବନାହିଁ, ଦୋଳିଗୁଡ଼ିକର ବାସ୍ତବ ସୁରକ୍ଷା ସ୍ଥିତି ମଧ୍ୟ ଯାଞ୍ଚ କରାଯିବ।

ସୂଚନାଯୋଗ୍ୟ, ଗୁରୁବାର ରାତି ପ୍ରାୟ ୧୦ଟାରୁ ୧୦ଟା ୪୫ ମଧ୍ୟରେ ବାଲିଯାତ୍ରାର ତଳ ପଡ଼ିଆରେ ଥିବା ରାମଦୋଳିରୁ ଦୁଇଜଣ ଯୁବକ ତଳକୁ ଖସିପଡ଼ିଥିଲେ। ଉଭୟଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ସେଠାରେ ୨୫ ବର୍ଷୀୟ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ୩୦ ବର୍ଷୀୟ ଯୁବକ ଗୁରୁତର ଅଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଦୋଳି ଚାଲୁଥିବା ସମୟରେ ସିଟ୍‌ ବଦଳାଇବାକୁ ଉଦ୍ୟମ ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।

ବାଲିଯାତ୍ରାକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଥିବାରୁ ଦୋଳିର ସୁରକ୍ଷା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ କୌଣସି ପ୍ରକାର ଅବହେଳା ଯେପରି ଆଉ ଏକ ଅଘଟଣର କାରଣ ନହୁଏ, ସେଥିପାଇଁ ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।