ଏମ୍‌ଟି ୟୁନିଟି ଜାହାଜର ନାବିକଙ୍କ ପ୍ରତ୍ୟାବର୍ତ୍ତନରେ ମାନବିକ ସହଯୋଗ ପାଇଁ ପାରାଦୀପ ବନ୍ଦର ପ୍ରାଧିକରଣକୁ ଇଜିପ୍ଟ କନସୁଲେଟ୍‌ର ପ୍ରଶଂସା

ପାରାଦୀପ ବନ୍ଦରର ପ୍ରତିନିଧିମାନଙ୍କୁ ମୁମ୍ବାଇରେ ଔପଚାରିକ ଭାବେ କୃତଜ୍ଞତା ଜ୍ଞାପନ

ପାରାଦୀପ, ୨୮/୧୧: ମୁମ୍ବାଇ ସ୍ଥିତ ଇଜିପ୍ଟ ଆରବ ଗଣରାଜ୍ୟର କନସୁଲେଟ୍ ଜେନେରାଲ୍, ଏମ୍‌ଟି ୟୁନିଟି ତୈଳବାହୀ ଜାହାଜରେ ଥିବା ଇଜିପ୍ଟୀୟ ନାବିକମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ପ୍ରଦାନ କରାଯାଇଥିବା ମାନବିକ ସହାୟତା, ତ୍ୱରିତ ସମନ୍ୱୟ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଛି। ବିଭିନ୍ନ ବାଣିଜ୍ୟିକ ଓ ସାମୁଦ୍ରିକ ଦାବି ସମ୍ପର୍କିତ ମାମଲାରେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକ୍ରମେ ଏହି ଜାହାଜ ମେ ୨୦୨୬ରୁ ପାରାଦୀପ ବନ୍ଦରରେ ଅଟକ ରହିଛି। ଏହି ପରିସ୍ଥିତିରେ ପାରାଦୀପ ବନ୍ଦର ପ୍ରାଧିକରଣ ଜାହାଜର ନାବିକମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ସହ ସେମାନଙ୍କର ସୁରକ୍ଷିତ ଅବତରଣ ଓ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିଥିଲା। ଏହି ପଦକ୍ଷେପର ପ୍ରଥମ ପର୍ଯ୍ୟାୟରେ ୨୯ ଅକ୍ଟୋବର ୨୦୨୬ ଦିନ ଅପରାହ୍ନରେ ୬ ଜଣ ନାବିକ ଜାହାଜରୁ ଅବତରଣ କରିଥିଲେ। ପରବର୍ତ୍ତୀ ସମୟରେ ଇଜିପ୍ଟୀୟ ନାବିକ ଅଲି ନଶାତ୍ ହାସନଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହା ଫଳରେ ସେ ଭାରତରୁ ରୁଷ୍‌କୁ ଯାଇ ନିଜର ଅଧ୍ୟୟନ ପୁନଃ ଆରମ୍ଭ କରିବାର ସୁଯୋଗ ପାଇଥିଲେ। ପାରାଦୀପ ବନ୍ଦର ର ଏହି ଉଦ୍ୟମକୁ ସ୍ୱୀକୃତି ଦେଇ ମୁମ୍ବାଇସ୍ଥିତ ଇଜିପ୍ଟ କନସୁଲେଟ୍ ଜେନେରାଲ୍‌ର ପ୍ରତିନିଧି ଶ୍ରୀମତୀ ଡାହଲିଆ ତୱାକୋଲ୍, କନସୁଲ୍ ଏବଂ ଶ୍ରୀମତୀ ଦିନା ଅଲବାହେ, ଭାଇସ୍-କନସୁଲ୍, ଏହି ପ୍ରକ୍ରିୟାରେ ମିଳିଥିବା ସହଯୋଗ ଓ ସହାୟତା ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ, ୨୭ ନଭେମ୍ବର ୨୦୨୬ରେ ପାରାଦୀପ ବନ୍ଦର ର ପ୍ରତିନିଧିମାନଙ୍କୁ ମୁମ୍ବାଇ ଆମନ୍ତ୍ରଣ କରି ଔପଚାରିକ ଭାବେ କୃତଜ୍ଞତା ଜଣାଇଥିଲେ ।

ପାରାଦୀପ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଏସ୍. କେ. ପୁରୋହିତ ଏହି ମାନବିକ ପଦକ୍ଷେପରେ ସାମିଲ ଅଧିକାରୀ, କର୍ମଚାରୀ ଓ ସମସ୍ତ ସହଯୋଗୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ବିଶେଷ ଭାବେ ବନ୍ଦର ହାର୍ବର ମାଷ୍ଟର କ୍ୟାପ୍ଟେନ୍ ଇନ୍ଦ୍ରନୀଲ ମୁଖାର୍ଜୀ ଏବଂ ତାଙ୍କ ଟିମ୍‌ର ନିଷ୍ଠା, ସମୟୋଚିତ ପଦକ୍ଷେପ ଓ ସମନ୍ୱୟକୁ ସ୍ୱୀକାର କରି, ନାବିକମାନଙ୍କ କଲ୍ୟାଣ ନିଶ୍ଚିତ କରିବାରେ ସେମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ।

ଏହି ପଦକ୍ଷେପ ସାମୁଦ୍ରିକ କର୍ମଚାରୀଙ୍କ କଲ୍ୟାଣ, ମାନବିକ ସହାୟତା ଓ ଦାୟିତ୍ୱପୂର୍ଣ୍ଣ ସାମୁଦ୍ରିକ ସେବା ପ୍ରତି ପାରାଦୀପ ବନ୍ଦର ପ୍ରାଧିକରଣର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ଭାରତ ଓ ଇଜିପ୍ଟ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ଓ ସାମୁଦ୍ରିକ ସହଯୋଗକୁ ଆହୁରି ସୁଦୃଢ଼ କରିଛି।

ପାରାଦୀପ ବନ୍ଦର ପ୍ରାଧିକରଣ ସାମୁଦ୍ରିକ ସମୁଦାୟ ସହ ନିଜର କାର୍ଯ୍ୟକଳାପରେ ସୁରକ୍ଷା, କାର୍ଯ୍ୟକ୍ଷମ ଦାୟିତ୍ୱବୋଧ ଓ ମାନବିକତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାକୁ ସର୍ବଦା ପ୍ରତିବଦ୍ଧ ବୋଲି ପାରାଦୀପ ବନ୍ଦର ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ଵିଜ୍ଞପ୍ତିରୁ ପ୍ରକାଶ l