କିମ୍‍ସରେ ୩ୟ ଜାତୀୟ ସମ୍ମିଳନୀ ଆୟୋଜିତ

‘ଫ୍ୟୁଚର ଅଫ୍ ମେଡିସିନ୍ ଆଣ୍ଡ ହେଲ୍‍ଥ କେୟାର’ ଉପରେ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ନଭେମ୍ବର ୨୮: କିମ୍‍ସ ପକ୍ଷରୁ ଶନିବାର ୩ୟ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ‘ଫ୍ୟୁଚର ଅଫ୍ ମେଡିସିନ୍ ଆଣ୍ଡ ହେଲ୍‍ଥ କେୟାର’ (ଚିକିତ୍ସା ଓ ସ୍ୱାସ୍ଥ୍ୟସେବାର ଭବିଷ୍ୟତ) ବିଷୟବସ୍ତୁ ଉପରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ବହୁ ବିଶିଷ୍ଟ ଡାକ୍ତର, ଶିକ୍ଷାବିତ୍‌, ଗବେଷକ ଓ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ପ୍ରମୁଖ ଯୋଗଦେଇଥିଲେ।

 

ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏୟାର ମାର୍ଶାଲ ଡା. ସନ୍ଦୀପ ଥାରେଜା, ମହାନିର୍ଦ୍ଦେଶକ, ଆର୍ମଡ୍ ଫୋର୍ସେସ୍ ମେଡିକାଲ ସର୍ଭିସେସ୍‌, ସାମରିକ ଚିକିତ୍ସା ସେବାରେ ଯୁବ ଡାକ୍ତରଙ୍କ ପାଇଁ ରହିଥିବା ସ୍ୱତନ୍ତ୍ର ଅନୁଭୂତି, ବୃତ୍ତିଗତ ସୁଯୋଗ ଓ ଜୀବନ ପରିବର୍ତ୍ତନକାରୀ ଅଭିଜ୍ଞତା ଉପରେ ଆଲୋକପାତ କରିଥିଲେ। ସେ କହିଲେ, ସାମରିକ ଚିକିତ୍ସା ସେବା ଯୁବ ଡାକ୍ତରଙ୍କୁ ଉନ୍ନତ ଚିକିତ୍ସାଗତ ବିଚାରଶକ୍ତି, ବ୍ୟବହାରିକ ଦକ୍ଷତା ଏବଂ ଜଟିଳ ପରିସ୍ଥିତିରେ ତ୍ୱରିତ ଓ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ବିକଶିତ କରିବାର ସୁଯୋଗ ଦେଇଥାଏ। ଟେଲିମେଡିସିନ୍ ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟା ଚିକିତ୍ସା ସେବାକୁ ଅଧିକ ସୁଗମ କରିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାଗତ ନିଷ୍ପତ୍ତି ନେବା ସମ୍ପୃକ୍ତ ଡାକ୍ତରଙ୍କ ଉପରେ ନିର୍ଭର କରିଥାଏ। ଡାକ୍ତରଙ୍କ ଚିକିତ୍ସାଗତ ବିଚାରଶକ୍ତି ହିଁ ସବୁବେଳେ ଅଧିକ ଗୁରୁତ୍ୱ ରଖେ, କାରଣ ସେଠାରେ ଉପସ୍ଥିତ ଥିବା ଡାକ୍ତର ହିଁ ନିର୍ଣ୍ଣାୟକ ନିଷ୍ପତି ନେଇ ଥାଆନ୍ତି। ଯୁବ ଡାକ୍ତରମାନଙ୍କୁ ଚିକିତ୍ସା ବିଜ୍ଞାନର ଜ୍ଞାନ ଓ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିକୁ ବ୍ୟବହାରିକ ନିଷ୍ପତ୍ତିରେ ପରିଣତ କରି ରୋଗୀଙ୍କ ଚିକିତ୍ସା ଫଳାଫଳକୁ ଉନ୍ନତ କରିବାକୁ ସେ ଆହ୍ୱାନ ଦେଇଥିଲେ।

 

କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ତଥା ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡା. ସୁବ୍ରତ ଆଚାର୍ଯ୍ୟ କହିଲେ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ତିନି ବର୍ଷ ପୂର୍ବେ ଏହି ସମ୍ମିଳନୀର ପରିକଳ୍ପନା କରାଯାଇଥିଲା। ପାରମ୍ପରିକ ଆଲୋଚନାର ସୀମାକୁ ଅତିକ୍ରମ କରି ଅର୍ଥପୂର୍ଣ୍ଣ ବିଚାରବିମର୍ଶ ଓ ଜ୍ଞାନର ଆଦାନପ୍ରଦାନ ପାଇଁ ଏହା ଏକ ସୁଦୃଢ଼ ମଞ୍ଚ ଭାବେ ଗଢ଼ିଉଠିଛି ବୋଲି ସେ କହିଥିଲେ।

 

କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସି.ବି.କେ. ମହାନ୍ତି କହିଲେ, ଏହି ସମ୍ମିଳନୀ ବିଶିଷ୍ଟ ଚିକିତ୍ସା ବିଶେଷଜ୍ଞଙ୍କୁ ଏକତ୍ରିତ ହୋଇ ଅନୁଭୂତି ବାଣ୍ଟିବା, ନୂତନ ଚିନ୍ତାଧାରା ଓ ଉଦ୍‍ଭାବନ ଉପରେ ଆଲୋଚନା କରିବାର ସୁଯୋଗ ପ୍ରଦାନ କରିଛି। ଏଭଳି ବିଚାରବିମର୍ଶ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଶିକ୍ଷାରେ ଉତ୍କର୍ଷତା ହାସଲ ପାଇଁ ସମସ୍ତଙ୍କ ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ।

 

କିଟ୍‌, କିସ୍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରମାନେ ମାନବ ସେବାରେ ଭଗବାନଙ୍କ ପରେ ସ୍ଥାନ ପାଇଥାନ୍ତି ବୋଲି କହିଥିଲେ। ରୋଗୀଙ୍କୁ ଚିକିତ୍ସା କରିବା ସହ ଏକ ସ୍ନେହ, ସମ୍ବେଦନଶୀଳତା ଓ ମାନବିକତାର ସ୍ପର୍ଶ ଥିବା ସେବା ପ୍ରଦାନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଯୁବ ଡାକ୍ତରମାନଙ୍କୁ ଏହି ସମ୍ମିଳନୀରୁ ନିଜର ଜ୍ଞାନ ଓ ଅନୁଭବକୁ ସମୃଦ୍ଧ କରିବା ପାଇଁ ସର୍ବାଧିକ ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ । ସୁସ୍ଥ ଜୀବନ ମଣିଷ ପାଇଁ ସବୁଠାରୁ ବଡ଼ ଆଶୀର୍ବାଦ ବୋଲି ସେ ମତବ୍ୟକ୍ତ କରିଥିଲେ।

 

ସେହିପରି ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଗତି ପାଇଁ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି କିମ୍‍ସ ମେଡିକାଲ୍‍ କଲେଜ ଅଧ୍ୟକ୍ଷ ପ୍ରଫେସର ଆର ସି ଦାସ ମତବ୍ୟକ୍ତ କରିଥିଲେ। ଏହି ଜାତୀୟ ସମ୍ମିଳନୀ ସେହି ଦିଗରେ ଏକ ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।

 

 

ସମ୍ମିଳନୀରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ଉଦୀୟମାନ କ୍ଷେତ୍ରକୁ ନେଇ ଏକାଧିକ ବିଶେଷଜ୍ଞ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା (ଏଆଇ) ସହାୟକ ଅସ୍ତ୍ରୋପଚାର, ଏଆଇ ଭିତ୍ତିକ ମେଡ଼ିକାଲ ଇମେଜିଂ, ରୋଗ ନିରୂପଣ, କ୍ଲିନିକାଲ୍‍ ନିଷ୍ପତ୍ତି ଗ୍ରହଣ ଓ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା କିପରି ରୋଗୀ ସେବା ଓ ସ୍ୱାସ୍ଥ୍ୟସେବା ପ୍ରଦାନକୁ ଉନ୍ନତ କରିପାରିବ ସେ ଦିଗରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀର ବିଭିନ୍ନ ଅଧିବେଶନରେ ଦକ୍ଷିଣ ଏସିଆରେ ମେଧୁମେହ ଆଣ୍ଟିମାଇକ୍ରୋବାୟାଲ ପ୍ରତିରୋଧ, ଚିକିତ୍ସା ଗବେଷଣା, ବାୟୋମେଡିକାଲ୍‍ ଉପକରଣ ବିକାଶ, କ୍ଲିନିକାଲ୍‍ ପ୍ରାକ୍ଟିସ୍‍ ସହ ପ୍ରଯୁକ୍ତି ବିଦ୍ୟାଳୟର ସମନ୍ୱୟ ଉପରେ ଓଡ଼ିଶା ତଥା ଭାରତର ବହୁ ଖ୍ୟାତି ସମ୍ପନ୍ନ ଡାକ୍ତର, ଗବେଷକ ଓ ବିଶେଷଜ୍ଞମାନେ ଆଲୋଚନା କରିଥିଲେ।