ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା, କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି:ଡିସିପି

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୧ ଦିନ ବିତି ଯାଇଛି । ହେଲେ ପୋଲିସର ହାତ ଖାଲି ରହିଛି। ପୋଲିସ ବହୁ ତଦନ୍ତ କରିଥିଲେ ବି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ପାଇପାରି ନାହିଁ। ୧୯୮ ଜଣ ଛାତ୍ରୀ, ସଂପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚରା କରାଯାଇଥିଲେ ବି ରୁଚିକାଙ୍କ ଆତ୍ମହତ୍ୟା ପାଇଁ କେଉଁମାନେ ଦାୟୀ ସେମାନଙ୍କ ବିଷୟରେ କିଛି ଜଣାପଡୁ ନାହିଁ। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ଡିସିପି କହିଛନ୍ତି ଯେ, ଜୁଲାଇ ୨ ତାରିଖରେ ଏକ ରିପୋର୍ଟ ଆସିଥିଲା। କେସର ଗୁରୁତ୍ୱ ଦେଖିକି ଆମେ ତଦନ୍ତ କରୁଥିଲୁ। ୩ ଜଣିଆ ଟିମ ଗଠନ କରାଯାଇ ତଦନ୍ତ କରାଯାଉଥିଲା। ୧୦୦ ଜଣ ଛାତ୍ରୀ, ରୁଚିକା ପରିବାର ଲୋକେ, ସାଙ୍ଗ ମାଙ୍କୁ ପଚରା ଉଚରା କରିଥିଲୁ। ସାଇଣ୍ଟିଫିକ ଟିମ ଦ୍ୱାରା ସେ ରୁମକୁ ପୁରା ସର୍ଚ୍ଚ କରାଯାଇଥିଲା।

ସାଇବର ଏକ୍ସପର୍ଟ, ଟେକ୍ନିକାଲ ଏକ୍ସପର୍ଟଙ୍କ ସହଯୋଗ ଲୋଡିଥିଲୁ। ରୁଚିକାର ମୋବାଇଲରୁ ଡାଟା ରିଟ୍ରାଇଭ କରିବାକୁ ଚେଷ୍ଟା କରୁଛୁ। ମୋବାଇଲର ଡାଟା ରିଟ୍ରାଇଭ କରିବାକୁ ସିଙ୍ଗାପୁରକୁ ପଠା ଯାଉଛି, ଯାହା ତଦନ୍ତରେ ବହୁତ ସହଯୋଗ କରିବ ଏବଂ ଗୁମର ଖୋଲିବ ବୋଲି ଅନୁମାନ କରାଯାଉଛି।