ବର୍ଷାର ମୂଷଳ ଧାର: ରାଜଧାନୀ ସ୍ଥିତି ବେହାଲ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା

୨ ଘଣ୍ଟା ଯାଏ ତୀବ୍ର ବୃଷ୍ଟିପାତ ଚେତାବନୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଓଡ଼ିଶାର ୨୧ଟି ଜିଲ୍ଲାରେ ଦିନର ପ୍ରଥମାର୍ଦ୍ଧରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କତାମୂଳକ ଚେତାବନୀ ଦେଇଛି। ଆଗାମୀ ୨ ଘଣ୍ଟା ଯାଏ ତୀବ୍ର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ତେଣୁ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ଆଇଏମଡି।

ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ଆଇଏମଡି। ଆଜି ବର୍ଷା ହେବା ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, (ଭୁବନେଶ୍ୱର), କଟକ, ପୁରୀ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଆଜି ସକାଳ ୮.୩୦ ସୁଦ୍ଧା ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ। ପାରାଦୀପରେ ୧୦୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ୮୮.୬ ମି.ମି, ଢେଙ୍କାନାଳ ୭୦ ମି.ମି., ନୟାଗଡ ୪୩.୧ ମି.ମି., କଟକ ୪୧.୮ ମି.ମି. ଓ ଭୁବନେଶ୍ବରରେ ୧୪.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷିଲେ ୨ରୁ ୩ ସେଣ୍ଟିମିଟର ବର୍ଷା ସମ୍ଭାବନା ଥିବା ବେଳେ ଘଣ୍ଟା ପ୍ରତି ୧ରୁ ୨ ସେଣ୍ଟିମିଟର ବର୍ଷା ଅନୁମାନ କରାଯାଇଛି। ସେହିପରି ଟ୍ୱିନ ସିଟିରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଳ୍ପ କେଇ ଘଣ୍ଟା ଧରି ରାଜଧାନୀ ଭୁବନେଶ୍ବରରେ ପ୍ରବଳ ବର୍ଷା ହେବା ଫଳରେ କେତେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିବା ସହ ରାସ୍ତା ଉପରେ ବର୍ଷା ଜଳ ଲହଡି ମାରୁଛି। ତେଣୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।