ପ୍ରତି ବ୍ଲକକୁ ପାଇପ ଜଳ ଯୋଗାଣ: ୮୨ କୋଟି ବ୍ୟୟର ରାସ୍ତା

ରାଜ୍ୟ ସରକାରଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଝାରସୁଗୁଡା ଗସ୍ତରେ ଅଛନ୍ତି ।

ଝାରସୁଗୁଡାରେ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ଗତ କିଛି ଦିନ ଧରି ୫-ଟି ସଚିବ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତରେ ଅଛନ୍ତି। ବିଭିନ୍ନ ଜିଲ୍ଲା ଗସ୍ତ କରି ପାଣ୍ଡିଆନ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିବା ସମସ୍ତ ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ ରବିବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଜନଅଭିଯୋଗର ସମାଧାନର ସମୀକ୍ଷା କରିଛନ୍ତି।
ବ୍ରଜରାଜନଗରର ରାମଚଣ୍ଡୀ ମନ୍ଦିର ଓ ଲଇକେରାର ଜଙ୍ଗା ଲିଙ୍ଗ ମନ୍ଦିର ପରିଦର୍ଶନ କରିବା ସହ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସହ ମନ୍ଦିରର ବିକାଶ ପାଇଁ ସେବାୟତ, ଟ୍ରଷ୍ଟି ସଦସ୍ୟ ଓ ସାଧାରଣ ଜନତାଙ୍କ ସହ ଆଲୋଚନା କରିବା ସହ ମନ୍ଦିରର ରୂପାନ୍ତର ଓ ଆନୁଷଙ୍ଗିକ ତୀର୍ଥଯାତ୍ରୀ/ ପର୍ଯ୍ୟଟନ ସୁବିଧା ସମ୍ପର୍କରେ ପରାମର୍ଶ ନେଇଥିଲେ। ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଲଖନପୁର ବ୍ଲକର ୭୫୫୩ ଏକର ଜମିକୁ ଜଳସେଚିତ କରିବା ପାଇଁ ୧୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଲଖନପୁର ବ୍ଲକର ଚାଲିଥିବା ଦୁଇଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ପାଣ୍ଡିଆନ ସମୀକ୍ଷା କରିଥିଲେ। ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବ।

ଶ୍ରୀ ପାଣ୍ଡିଆନ ଝାରସୁଗୁଡ଼ା, କିର୍ମିରା, କୋଲାବିରା, ଲଇକେରା ଓ ଲଖନପୁର ବ୍ଲକରେ ୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ବ୍ରଜରାଜନଗର ଓ ବେଲପାହାଡ଼ ପୌରପାଳିକା ପାଇଁ ୨୯୫ କୋଟି ଟଙ୍କା ବ୍ୟୟରେ ଚାଲିଥିବା ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ୨୦୨୪ ଜାନୁଆରିରୁ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ।
ହୀରାକୁଦ ଡ୍ୟାମ୍ ପରିସରରେ ଥିବା ୧୯ଟି ଅଣସର୍ଭେ ଗ୍ରାମର ସର୍ଭେ ଓ ସେଟଲମେଣ୍ଟ ଅପରେସନର ଅଗ୍ରଗତି ସମ୍ପର୍କରେ ୫ଟି ସଚିବ ସମୀକ୍ଷା କରିଥିଲେ। ଏହି ପ୍ରକ୍ରିୟାକୁ ପ୍ରାଥମିକତା ଓ ତ୍ୱରାନ୍ୱିତ କରିବାକୁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


ବ୍ରଜରାଜନଗର କୋଇଲା ଖଣିରୁ କୋଇଲା ପରିବହନ ପାଇଁ ବେଲପାହାଡ଼ ଓ ବ୍ରଜରାଜନଗରରେ ୮୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ ଲେନ୍ ବିଶିଷ୍ଟ କ୍ୟାରେଜ୍ ୱେ ରୋଡ୍ କରିଡର ପ୍ରକଳ୍ପ ନିର୍ମାଣର ଅଗ୍ରଗତି, ଝାରସୁଗୁଡ଼ା ଟାଉନ୍ ପାଇଁ ସରବାହାଲରେ ୪୧ କୋଟି ଟଙ୍କା ବ୍ୟୟ ଅଟକଳର ଆରଓବି ନିର୍ମାଣର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ।
ସେ ଝାରସୁଗୁଡ଼ାରେ ମିଶନ ଶକ୍ତି ଗ୍ରୁପ୍ ସହ ଆଲୋଚନା କରିବା ସହ ସେମାନଙ୍କ କାର୍ଯ୍ୟକଳାପ ପାଇଁ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମହିଳା ସଶକ୍ତୀକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ରହିଛି ବୋଲି ସେ କହିଛନ୍ତି। ବିନା ସୁଧରେ ଋଣ ବାବଦରେ ସଚେତନତା ସୃଷ୍ଟି କରିବା ସହ ପଞ୍ଚାୟତ ସ୍ତରରେ ଋଣ ମେଳା ଆୟୋଜନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଦିନତମାମ ସେ ଲଖନପୁର ଓ ଲଇକେରାରେ ଜନ ଅଭିଯୋଗ ସଭାରେ ଅଂଶଗ୍ରହଣ କରିଥିଲେ। ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗରିକଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ସମ୍ବଲପୁର ଆରଡିସି (ଏନ୍ ଡି) ସୁରେଶ ସିଏଚ୍ ଦଳାଇ, ସମ୍ବଲପୁର ଆଇଜି ଦୀପକ କୁମାର, ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଡିଏମ୍ ଅବୋଲି ସୁନୀଲ ନରଭାଣେ, ଝାରସୁଗୁଡ଼ା ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମଦାସ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ତାଙ୍କ ସହ ଥିଲେ।