ରାମନାକୁପୁଲିରେ ଲାଗିଲା ମାଓ ବ୍ୟାନର

ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ଲାଗିଛି ମାଓ ବ୍ୟାନର ଓ ପୋଷ୍ଟର

ମନ୍ତ୍ରୀ ଓ ଦୁଇ ବିଜେଡି ନେତାଙ୍କୁ ଚେତାବନୀ

ମୁନିଗୁଡ଼ା ୨୪/୮:ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକରେ ଲାଗିଛି ମାଓ ବ୍ୟାନର ଓ ପୋଷ୍ଟର। ଏଥିରେ ଜିଲ୍ଲାର ୩ ଜଣ ପ୍ରମୁଖ ବିଜେଡି ନେତାଙ୍କୁ ଚେତାବନୀ ଦିଆଯାଇଥିବା ଦେଖିବାକୁ ମିଳିଛି। ପୋଲିସ ନିରୀହ ଲୋକଙ୍କୁ ମିଥ୍ୟା କେଶରେ ପକାଇ ଜେଲରେ ରଖିବା ସହ ମାଡ ମାରୁଥିବା ଦର୍ଶାଯାଇଛି। ସେମାନଙ୍କୁ ତୁରନ୍ତ ଖଲାସ କରାଯାଉ ନଚେତ ଷଡ଼ଯନ୍ତ୍ର ଚଲାଇଥିବା ୩ ଜଣ ବିଜେଡି ନେତା ଆଇନ ତଥା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ପୂର୍ବତନ ସାଂସଦ ତଥା ବିଜେଡି ରାଜ୍ୟ ଉପସଭାପତି ଏନ. ଭାସ୍କର ରାଓ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ରାୟଗଡା ଜିଲ୍ଲା ବିଜେଡି ସଭାପତି ସୁଧିର ଦାସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଜିବ ବୋଲି ବ୍ୟାନରରେ ଉଲ୍ଲେଖ ରହିଛି। ଏହି ବ୍ୟାନର ଓ ପୋଷ୍ଟର ସିପିଆଇ ମାଓବାଦୀ ବାଘୁନା ଡିଭିଜିନାଲ କମିଟି ତରଫରୁ ଲାଗିଥିବାର ଉଲ୍ଲେଖ ରହିଛି।
ପ୍ରକାଶ ଥାଉକି, ଗତ ଜୁଲାଇ ମାସ ପ୍ରଥମ ସପ୍ତାହରେ ମୁନିଗୁଡ଼ା ଥାନା ଦେଓକୁପୁଲି ରେଲୱେ କ୍ରସରରେ ପୋଡାଜଳା ଓ ଭୂରୁସିଖମାର ଗାଆଁରେ ମାଓ ପୋଷ୍ଟର ମାରି ସେମାନଙ୍କ ଉପସ୍ଥିତି ଜାହିର କରିବା ସହ ବହୁ ଦିନରୁ ବନ୍ଦ ଥିବା ଲାଲ ଆତଙ୍କର ଭୟ ସୃଷ୍ଟି କରିଥିଲେ। ମୁନିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି।