ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ 175.5 କୋଟି ଅତିରିକ୍ତ ଅନୁଦାନ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ମୁଖ୍ୟମନ୍ତ୍ରୀ 175.5 କୋଟି ଅତିରିକ୍ତ ଅନୁଦାନ ମଞ୍ଜୁର କରିଛନ୍ତି।
ଚଳିତ ବର୍ଷର ଅନୁଦାନ 351 କୋଟି ଟଙ୍କାକୁ ବୃଦ୍ଧି
ଭୁବନେଶ୍ୱର, ତା.୦୭.୧୦.୨୦୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ 175.5 କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ। ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷମାନଙ୍କ ସହ ଆଲୋଚନା ସମୟରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି ସୂଚନା ଦେଇଛନ୍ତି । ଏହା ଦ୍ୱାରା ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଚଳିତ ବର୍ଷ ସମୁଦାୟ ୩୫୧ କୋଟି ଟଙ୍କାର ଅନୁଦାନ ମିଳବ। ଏହି ଘୋଷଣା ଦ୍ବାରା ଆଭାଷୀ ମାଧ୍ୟମରେ ଉପସ୍ଥିତ ଥିବା 9ଟି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଓ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ୯ଟି ଜିଲ୍ଲା ଯଥା- କୋରାପୁଟ, ମାଲକାନଗିରି, ଗଜପତି, ମୟୂରଭଞ୍ଜ, ରାୟଗଡା, କେନ୍ଦୁଝର, କନ୍ଧମାଳ,ସୁନ୍ଦରଗଡ ଓ ନବରଙ୍ଗପୁର ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି।