ମେଟ୍ରୋ ରେଳ ପ୍ରକଳ୍ପ: ୫୯୨୯ କୋଟିର ଡିପିଆର୍ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ପ୍ରକଳ୍ପର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

୪ ବର୍ଷରେ ପୂରା ହେବ

ଭୁବନେଶ୍ୱର, ୭/୧୦/୨୦୨୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସ୍ଥିତି ସମୀକ୍ଷା କରିଛନ୍ତି। ସମୁଦାୟ ୫୯୨୯ କୋଟି ଟଙ୍କା ବ୍ୟୟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କୁ ଅନୁମୋଦନ କରାଯାଇଛି, ଯାହା ଓଡ଼ିଶା ସରକାର ସମ୍ପୂର୍ଣ୍ଣ ଭାବେ ବହନ କରିବେ। ଏହାକୁ ରାଜ୍ୟ ସରକାରଙ୍କ ୫-ଟି ପଦକ୍ଷେପ ଭାବେ ଗ୍ରହଣ କରାଯିବ। ଚଳିତ ବର୍ଷ ପାଇଁ ସପ୍ଲିମେଣ୍ଟାରୀ ବଜେଟରେ ୨୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୪ ଜାନୁଆରି ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଭୁବନେଶ୍ୱର ମେଟ୍ରୋ ରେଲ୍ କର୍ପୋରେସନ୍ କମ୍ପାନି ଆକ୍ଟ ଅଧୀନରେ ନୂତନ ଭାବେ ଗଠିତ ହୋଇଛି ଏବଂ କମ୍ପାନି କାର୍ଯ୍ୟ ଆରମ୍ଭ କରିଛି। ଏହି ପ୍ରକଳ୍ପ ପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥାର ତ୍ୱରାନ୍ୱିତ କାର୍ଯ୍ୟତଦାରଖ ପାଇଁ ଉନ୍ନୟନ କମିଶନର-କମ-ଏସିଏସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

ତ୍ରିଶୁଳିଆ ଛକରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ସମ୍ପୂର୍ଣ୍ଣ ଆଲାଇନମେଣ୍ଟ ଏକ ଉନ୍ନତ ଢାଞ୍ଚାରେ ହେବ ଏବଂ ୨୦ଟି ଷ୍ଟେସନ ସହିତ ବର୍ତ୍ତମାନର ରାସ୍ତାର ମଧ୍ୟଭାଗ/ପାର୍ଶ୍ୱରେ ଚାଲିବ । ନନ୍ଦନକାନନ, କିଟ୍ ଛକ, ଡମଣା ଛକ, ଜୟଦେବ ବିହାର, ବାଣୀବିହାର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଏହି ଷ୍ଟେସନ ଗୁଡ଼ିକ ଅନ୍ତର୍ଭୁକ୍ତ କରିବ। ରାମ ମନ୍ଦିର, ଭୁବନେଶ୍ୱର ରେଳ ଷ୍ଟେସନ, ବାପୁଜୀ ନଗର, ଶିଶୁ ଭବନ ଓ କ୍ୟାପିଟାଲ ହସ୍ପିଟାଲ ।

ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ୪୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତ ଏଜେନ୍ସିକୁ ନିବିଡ଼ ସମନ୍ୱୟ ରକ୍ଷା କରି ପ୍ରକଳ୍ପକୁ ଠିକ୍ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଓଡ଼ିଶା ପାଇଁ ଏକ ବଡ଼ ଐତିହାସିକ ପ୍ରକଳ୍ପ। ମେଟ୍ରୋ ରେଳ ବ୍ୟବସ୍ଥା ରେ ଦେଶର ଶ୍ରେଷ୍ଠ ସହର ମାନଙ୍କ ମଧ୍ୟରେ ଭୁବନେଶ୍ୱର ସାମିଲ ହେବ । ଏହି ପ୍ରକଳ୍ପ ସହରର ସାର୍ବଜନୀନ ପରିବହନକୁ ଆହୁରି ସୁଦୃଢ଼ କରିବ ଏବଂ ସହରର ଅର୍ଥନୈତିକ ଅଭିବୃଦ୍ଧିକୁ ସକ୍ଷମ କରିବ ।

ଏହି ସହର ବିଭିନ୍ନ ସହରାଞ୍ଚଳ ପ୍ରକଳ୍ପ ପାଇଁ ସ୍ୱୀକୃତି ପାଇଛି ଏବଂ ଉନ୍ନତ ମାନର ଜୀବନ ଧାରଣ ସହିତ ଏକ ସହର ଭାବରେ ଉଭା ହେଉଛି । ମୁଁ ନିଶ୍ଚିତ ଯେ ଏହି ମେଗା ପ୍ରକଳ୍ପ ଭୁବନେଶ୍ୱରକୁ ଦେଶର ଏକ ଶ୍ରେଷ୍ଠ ବସବାସଯୋଗ୍ୟ ସହର ରେ ପରିଣତ କରିବ।

ବ୍ୟାପକ କ୍ଷେତ୍ର ପରିଦର୍ଶନ ପରେ ଚୂଡ଼ାନ୍ତ ହୋଇଥିବା ଆଲାଇନମେଣ୍ଟ ଚୟନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ରାସ୍ତାଗୁଡ଼ିକରେ ଭିଡ଼ କମାଇବା ଏବଂ ଅଧିକରୁ ଅଧିକ ଦୈନିକ ଯାତ୍ରୀ ଉପକୃତ ହେବା ପାଇଁ ଏହି ମାର୍ଗ ଚୟନ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମେଟ୍ରୋ ପ୍ରକଳ୍ପର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ଭୁବନେଶ୍ୱର ଏବଂ ଏହାର ଆଖପାଖରେ ଥିବା ଅନ୍ୟ ବିକାଶ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିବ।

ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ହୁଡାର ପ୍ରମୁଖ ଶାସନ ସଚିବ ଶ୍ରୀ ମାଥିଭାଥନନ, ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।