ଅକ୍ଟୋବର ୧୨ରୁ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ

ଅକ୍ଟୋବର ୧୨ରୁ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ ରାଜ୍ୟ ସରକାର।

ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୨ ତାରିଖରୁ ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିବେ।

ଖବର ମୁତାବକ, ମାଲକାନଗିରିରୁ ଏହି ଯୋଜନା ଆରମ୍ଭ ହେବା ପରେ ସାରା ରାଜ୍ୟରେ ଲୋକଙ୍କୁ ପରିବହନ ସେବା ଯୋଗାଇବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୧ହଜାରରୁ ଅଧିକ ବସ୍ ଚଳାଚଳ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୬ଟି ବସ୍ ମାଲକାନଗିରିରେ ପହଞ୍ଚିଛି। ଜିଲ୍ଲା ସଦର ମହକୁମା କିମ୍ବା ପ୍ରମୁଖ ସହର ମଧ୍ୟରେ ଯୋଗାଯୋଗ ସୁବିଧା ଲକ୍ଷ୍ମୀ ବସ୍ ମାଧ୍ୟମରେ ଉପଲବ୍ଧ ହେବ। ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ପାଇଁ ୩୧୭୮ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ବସ୍ ସେବା ଆରମ୍ଭ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଲୋକେସନ୍ ଆକ୍ସେସିବଲ୍ ମଲ୍ଟିମୋଡାଲ ଇନିସିଏଟିଭ୍ (ଏଲଏସିସିଏମ୍ଆଇ) ବା ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି।

ସୂଚନାଯୋଗ୍ୟ, ବିଭିନ୍ନ ଜିଲ୍ଲାରୁ ରାଜଧାନୀକୁ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି।