ଆଉ ନାହାନ୍ତି ପୁର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୁରୀ ସାଂସଦ ତଥା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କର ପରଲୋକ ଘଟିଛି।

ରାଜ୍ୟ ସାରା ଶୋକ ପ୍ରକାଶ

ପୁରୀ,୦୭/୧୧/୨୩: ଆଉ ନାହାନ୍ତି ବିଜୁ ଜନତା ଦଳର ଟାଣୁଆ ନେତା ମହେଶ୍ୱର ମହାନ୍ତି। ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୁରୀ ସାଂସଦ ତଥା ବିଧାନସଭାର ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କର ପରଲୋକ ଘଟିଛି। ମଙ୍ଗଳବାର ସକାଳେ ୬୭ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।

ଶ୍ରୀ ମହାନ୍ତି ଗତ ନଭେମ୍ବର ୧ ତାରିଖ ରାତିରେ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରିବା ପରେ ଶ୍ରୀ ମହାନ୍ତି ଅସୁସ୍ଥତା ଅନୁଭବ କରିବାକୁ ଲାଗିଥିଲେ। ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିବା ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା।

ଶ୍ରୀ ମହାନ୍ତି ୧୯୭୮-୮୦ ମସିହାରେ ପୁରୀ ପୌରପାଳିକାରେ କାଉନସିଲର ଭାବେ ବିଜୟୀ ହେବା ପରେ ସକ୍ରିୟ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ରୁ ୧୯୯୫ ମଧ୍ୟରେ ପ୍ରାୟ ୮ ବର୍ଷ ପୁରୀ ପୌରପାଳିକାର ଅଧ୍ୟକ୍ଷ ରହିଥିଲେ। ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବା ସହ ୨୦୦୪ ମେ ୨୧ରୁ ୨୦୦୮ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ।

ଶ୍ରୀ ମହାନ୍ତି ୧୯୯୫ରୁ ୨୦୧୯ ମଧ୍ୟରେ ଲଗାତାର ୫ ଥର ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରି ୫ ଥର ବିଧାୟକ ରହିଥିଲେ। ଥରେ ଜନତା ଦଳ ଟିକେଟରେ ଏବଂ ୨୦୦୦ ପରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ୨୦୧୯ରେ ବିଜେପି ଟିକେଟରେ ଲଢ଼ିଥିବା ତାଙ୍କ ବିଶ୍ୱସ୍ତରୁ ପ୍ରତିଦ୍ୱନ୍ଦ୍ୱୀ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଠାରୁ ୪ ହଜାରରୁ ଅଧିକ ଭୋଟରେ ହାରିବା ପରେ ପରାଜୟର ସ୍ୱାଦ ଚାଖିଥିଲେ।

ବର୍ତ୍ତମାନ ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନ ଯାଇ ପହଞ୍ଚିଛି ମହେଶ୍ବରଙ୍କ ପାର୍ଥିବ ଶରୀର। ଶଙ୍ଖ ଭବନରେ ଶେଷ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ପରେ ବିଧାନସଭା, ମୋଚି ସାହି ତାଙ୍କ ଘର ପରେ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ।

ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି। ମହେଶ୍ୱରଙ୍କ ବିୟୋଗ ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି ବୋଲି କହିବା ସହ ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ତଥା ବିଜେପି ସଭାପତି ମନମୋହନ ସାମଲ, କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ଅନେକ ନେତା ମହେଶ୍ୱରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।