ଶ୍ରଦ୍ଧା ମର୍ଡର କେସର ପୁନରାବୃତ୍ତି: ଏଥର ଶିକାର ଓଡ଼ିଶାର ପ୍ରତିମା
ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଯୁବତୀଙ୍କ ମୃତଦେହ ସୁଟକେସରେ ଭର୍ତ୍ତି ହୋଇଥିବା ଅବସ୍ଥାରେ ମିଳିଛି।
ସୁଟକେସରେ ଭର୍ତ୍ତି ମିଳିଲା ମୃତଦେହ
ସୁନ୍ଦରଗଡ଼, ୨୨/୧୧/୨୩: ଗତ ବର୍ଷ ମେ ମାସରେ ନୂଆଦିଲ୍ଲୀରେ ଘଟିଥିଲା ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଲିଭ-ଇନ-ରିଲେସନସିପରେ ରହୁଥିବା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଥିଲା ସଇତାନ ପ୍ରେମିକ ଅଫତାବ ପୁନାୱାଲା। ଶ୍ରଦ୍ଧାଙ୍କୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ ଭିତରେ ରଖିଥିଲା ଅଫତାବ। ଏହି ଘଟଣା ଜଣା ପଡିବା ପରେ ସାରା ଦେଶରେ ଏକ ଭୟାବହ ବାତାବରଣ ସୃଷ୍ଟି କରିଥିଲା। ଏହି ଘଟଣା ଏବେ ଯାଏ ବି ଲୋକ ଭୁଲି ନଥିବା ବେଳେ ଆଜି ଆଉ ଏକ ଘଟଣା ସାମନାକୁ ଆସିଛି।
ମୁମ୍ବାଇରେ ପ୍ରେମିକାଙ୍କୁ ହତ୍ୟା କରିଛି ପ୍ରେମିକ। ଏଥର ଶିକାର ଯୁବତୀ ଜଣଙ୍କ ହେଉଛନ୍ତି ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର। ଯୁବତୀ ଉକ୍ତ ଜିଲ୍ଲାର ଲେଫ୍ରିପଡ଼ା ଥାନା ଅଞ୍ଚଳର ପ୍ରତିମା କେରକେଟା। ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସାହାବଡେରା ଗ୍ରାମର ଓସ୍କାର ମନୋଜ ବର୍ମା। ଉଭୟ ମୁମ୍ବାଇରେ ଘର ଭଡା ନେଇ ଲିଭ-ଇନ-ରିଲେସନସିପରେ ରହୁଥିଲେ। ଗତ ରବିବାର ଦିନ ସୁନ୍ଦରଗଡ଼ ଜିଲ୍ଲାରୁ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି କୁର୍ଲା ରେଳବାଇ ପୋଲିସ।
ମିଳିଥିବା ସୂଚନା ଅନୁଯାୟୀ, ଦୁହେଁ ମୁମ୍ବାଇରେ ଏକ ଭଡ଼ା ଘରେ ରହୁଥିଲେ ଏବଂ ପ୍ରତିମା ସ୍ଥାନୀୟ ଅଞ୍ଚଳରେ ଘରୋଇ ସହାୟିକା ଭାବରେ କାମ କରୁଥିଲେ। ତେବେ ପ୍ରତିମା ତାଙ୍କୁ ଠକି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିବା ମନୋଜ ସନ୍ଦେହ କରିଥିଲେ। ଶନିବାର ରାତିରେ ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏବଂ ପରେ ଯୁକ୍ତିତର୍କ ଉଗ୍ର ରୂପ ନେବା ପରେ ମନୋଜ ରାଗରେ ପ୍ରତିମାଙ୍କୁ ହତ୍ୟା କରିଥିଲେ। ପରେ ସେ ତାଙ୍କ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ସୁଟକେସରେ ଭର୍ତ୍ତି କରି ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ।
କୁର୍ଲା ରେଳ ଷ୍ଟେସନକୁ ଯିବା ବାଟରେ ଚେମ୍ବୁରର ସାନ୍ତାକ୍ରୁଜ୍ ରୋଡରେ ପଡ଼ିଥିବା ଏକ ସୁଟକେସ୍ ଭିତରେ ପ୍ରତିମାଙ୍କ ମୃତଦେହ ଭର୍ତ୍ତି ହୋଇଥିଲା। ମୃତଦେହ ଉଦ୍ଧାର ପରେ କୁର୍ଲା ଜିଆରପି ତଦନ୍ତ କରି ମୃତକଙ୍କ ସହ ଲିଭ୍ ଇନ୍ ରିଲେସନ୍ ସିପରେ ଥିବା ଓସ୍କାର ମନୋଜ ବାର୍ଲାଙ୍କୁ ଗିରଫ କରିଛି।