କଡ଼ା ସୁରକ୍ଷା ବଳୟରେ କୋଟିଆ, ନେତା ଓ ବ୍ୟାପକ ପୋଲିସ ଫୋର୍ସ ମୁତୟନ
‘ଅର୍ଣ୍ଣବ’ରେ ପ୍ରଭାବିତଙ୍କୁ ୫୦ କିଲୋ ଚାଉଳ ଓ ୫ ହଜାର ଟଙ୍କା ଦେବା ବ୍ୟବସ୍ଥା
କୋରାପୁଟ, ୦୪/୧୧: କୋଟିଆରେ ସୀମା ବିବାଦକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପୋଲିସ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ନେରେଡିୱାଲସା ଚେକ୍ପୋଷ୍ଟ ନିକଟରେ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଠେଲାପେଲା ସହ କଥା କଟାକଟି ହେବା ପରେ ସୁରକ୍ଷା ବ୍ୟବସ୍ଥା କୁ କଡ଼ାକଡ଼ି କରାଯାଇଛି। କୋଟିଆର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଉତ୍ତେଜନା ବଢ଼ିବା ଆଶଙ୍କା ରହିଥିବାରୁ ସମ୍ବେଦନଶୀଳ ଗାଁରେ ନେତା ଓ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ବିଶେଷକରି ଫାଟୁସିନେରି, ପକୁଣୁସିନେରି, ମାଡ଼କାର ଓ ଡୋଳିଆମ୍ବ ଭଳି ସମ୍ବେଦନଶୀଳ ଗାଁଗୁଡ଼ିକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ନେରେଡିୱାଲସା, ତଳସେମ୍ବି ଓ ଫାଟୁସିନେରି ଛକରେ ଚେକ୍ପୋଷ୍ଟ ସ୍ଥାପନ କରାଯାଇଛି। ସୀମାନ୍ତ ଅଞ୍ଚଳରେ ଯାତାୟାତ ଓ ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯାଉଛି। ନେରେଡିୱାଲସାରେ ୧୬ ଜଣ ମାଜିଷ୍ଟ୍ରେଟ୍ ଓ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ବାତ୍ୟା ‘ଅର୍ଣ୍ଣବ’ରେ ପ୍ରଭାବିତ ଲୋକଙ୍କୁ ୫୦ କିଲୋ ଚାଉଳ ଓ ୫ ହଜାର ଟଙ୍କା ଦେବା ବ୍ୟବସ୍ଥା କରାଯାଇଛି।
ଆସନ୍ତା ନଭେମ୍ବର ୫ ତାରିଖରେ କୋଟିଆର କିଛି ବିବାଦୀୟ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଓଡ଼ିଶା ଆପତ୍ତି ଉଠାଇଛି।କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଥିବା ବେଳେ ଏଠାରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ କରାଇବା ଓ ପ୍ରଶାସନିକ କାର୍ଯ୍ୟକଳାପ ଚଳାଇବା ଆଦୌ ଗ୍ରହଣୀୟ ନୁହେଁ।
କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ୨୮ଟି ଗାଁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ଏଥିରୁ ୨୧ଟି ଗାଁ ଉପରେ ଆନ୍ଧ୍ରପ୍ରଦେଶ ନିଜର ଅଧିକାର ଦାବି କରୁଛି। ଏହି ସୀମା ବିବାଦ ୧୯୬୮ ମସିହାରୁ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଉଭୟ ରାଜ୍ୟର ନିଜସ୍ୱ ପ୍ରଶାସନିକ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଯୋଗୁଁ ଏଠାକାର ସ୍ଥିତି ଜଟିଳ ହୋଇ ରହିଛି।