ପରଲୋକରେ ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା

ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ସମ୍ବଲପୁର ସାଂସଦ

ଭବାନୀପାଟଣା, ୦୪/୧୧: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରାଙ୍କ ପରଲୋକ ହୋଇଛି। କଳାହାଣ୍ଡି ଭବାନୀପାଟଣାସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାସବିହାରୀ। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

୧୯୩୮ ମସିହା ଏପ୍ରିଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିବା ରାସବିହାରୀ ବେହେରା ଭାରତୀୟ ଜାତୀୟ କଂଗ୍ରେସର ଜଣେ ସକ୍ରିୟ ସଦସ୍ୟ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୭୭ ଓ ୧୯୮୫ ମସିହାରେ ସେ କୋକସରା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ୧୯୮୦ ମସିହାରେ କଳାହାଣ୍ଡି ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ରାଜନୀତି ବ୍ୟତୀତ ସାହିତ୍ୟ ଓ ଭ୍ରମଣ ସମ୍ପର୍କିତ ଲେଖାଲେଖି ପ୍ରତି ମଧ୍ୟ ତାଙ୍କର ବିଶେଷ ରୁଚି ଥିଲା।

ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। “କଳାହାଣ୍ଡିର ପୂର୍ବତନ ସାଂସଦ ତଥା କୋକସରାର ପୂର୍ବତନ ବିଧାୟକ ରାସବିହାରୀ ବେହେରାଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଜନପ୍ରତିନିଧି ଭାବେ ଦୀର୍ଘଦିନ ଧରି ଲୋକଙ୍କ ସେବା ଓ ଅଞ୍ଚଳର ବିକାଶରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି” ବୋଲି ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି।

ସେହିପରି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି, “ଓଡ଼ିଶାର ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଜନପ୍ରତିନିଧି ଭାବରେ ସେ କରିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକ ଚିର ସ୍ମରଣୀୟ ହୋଇରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି”।

ଅନ୍ୟପଟେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ନବୀନ ଶୋକ ବାର୍ତ୍ତାରେ କହିଛନ୍ତି, “କଳାହାଣ୍ଡିର ପୂର୍ବତନ ସାଂସଦ ତଥା କୋକସରାର ପୂର୍ବତନ ବିଧାୟକ ରାସବିହାରୀ ବେହେରାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଦୀର୍ଘଦିନ ଧରି ଜନପ୍ରତିନିଧି ଭାବେ ଲୋକଙ୍କ ସେବା ଓ ଉନ୍ନତିରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାର ସଦଗତି କାମନା କରୁଛି।”