ପଞ୍ଚଭୂତରେ ବିଲୀନ ପଦ୍ମଶ୍ରୀ ଡା. ଅଶୋକ ମହାପାତ୍ର

ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ଭୁବନେଶ୍ୱର/ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ଓଡ଼ିଶାର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ର। ବୁଧବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ପରିବାର ସଦସ୍ୟ, ପ୍ରଶାସନିକ ଅଧିକାରୀ, ରାଜନେତା, ଚିକିତ୍ସା ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଓ ଶୁଭେଚ୍ଛୁ ଉପସ୍ଥିତ ରହି ଡା. ଅଶୋକ ମହାପାତ୍ରଙ୍କୁ ଶେଷ ବିଦାୟ ଜଣାଇଛନ୍ତି। ତାଙ୍କ ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ସୋମବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୭୪ ବର୍ଷ ବୟସରେ ଡା. ମହାପାତ୍ରଙ୍କ ପରଲୋକ ହୋଇଥିଲା। ସେ ମସ୍ତିଷ୍କ କର୍କଟ ରୋଗରେ ପୀଡ଼ିତ ଥିଲେ। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ସେଠାରେ ଅକ୍ଟୋବର ୫ ତାରିଖରେ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ଆଉ ସୁସ୍ଥ ହୋଇପାରି ନଥିଲେ।

ମଙ୍ଗଳବାର ଦିଲ୍ଲୀ ଏମ୍ସରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ମରଶରୀରକୁ ଭୁବନେଶ୍ୱର ଅଣାଯାଇଥିଲା। ବିମାନବନ୍ଦରରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଜନପ୍ରତିନିଧି ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ। ପରେ ମରଶରୀରକୁ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରକୁ ନିଆଯାଇଥିଲା। ସେଠାରେ ଶିକ୍ଷକ, ଛାତ୍ରଛାତ୍ରୀ, ଡାକ୍ତର, କର୍ମଚାରୀ ଓ ବହୁ ଶୁଭେଚ୍ଛୁ ତାଙ୍କର ଶେଷ ଦର୍ଶନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।