ବାତ୍ୟା ପ୍ରଭାବ: ଓଡ଼ିଶାରେ ବର୍ଷା ଓ ପବନ ସମ୍ଭାବନା

ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ହେବା ସହ ୪୦-୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।

୪୦-୫୦ କି.ମି. ବେଗରେ ପବନ ବହିବ: ଆଇଏମଡି

ଭୁବନେଶ୍ବର, ୦୪/୧୨/୨୩: ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଏହାର ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ମିଚାଉଙ୍ଗ’ ସୋମବାର ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୮ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହି ଘୂର୍ଣ୍ଣିବଳୟ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ଆଜି ସକାଳ ସାଢ଼େ ୮ଟାରେ ଚେନ୍ନାଇଠାରୁ ପ୍ରାୟ ୯୦ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ, ନେଲ୍ଲୋରଠାରୁ ୧୭୦ କିଲୋମିଟର ଦକ୍ଷିଣ-ପୂର୍ବ, ପୁଡୁଚେରୀଠାରୁ ୨୦୦ କିଲୋମିଟର ଉତ୍ତର-ପୂର୍ବ, ବାପାଟଲାଠାରୁ ୩୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ଦକ୍ଷିଣ ପୂର୍ବ ଏବଂ ମଛଲିପାଟନମଠାରୁ ୩୨୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଥିଲା।

ଏହା ଧୀରେ ଧୀରେ ଘନୀଭୂତ ହୋଇ ପ୍ରାୟ ସମାନ୍ତରାଳ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ଗତି କରି ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବା ସହ ଭୟଙ୍କର ସାମୁଦ୍ରିକ ଝଡ଼ ରୂପେ ବାପାଟଲା ନିକଟରେ ଥିବା ନେଲ୍ଲୋର ଓ ମଛଲିପାଟନମ୍ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଡିସେମ୍ବର ୪ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ତଥା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ଘଣ୍ଟା ପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ ଏବଂ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଧୀରେ ଧୀରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ୫ ତାରିଖରେ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।