ଘୋଷଣା ହେଲା “ବିଜୁ ପଟ୍ଟନାୟକ ପୁରସ୍କାର” ବିଜେତାଙ୍କ ନାମ

ପ୍ରଭାତ ମହାପାତ୍ର ଓ ବିଦ୍ୟୁତ ଦାସଙ୍କୁ "ବିଜୁ ପଟ୍ଟନାୟକ ପୁରସ୍କାର" ପ୍ରଦାନ କରାଯିବ।

ଘୋଷଣା କଲା ଓଡ଼ିଶା ବିଜ୍ଞାନ ଏକାଡେମୀ

ଭୁବନେଶ୍ବର, ୦୬/୧୨/୨୩: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଓ ୨୦୨୨ ପାଇଁ ବୈଜ୍ଞାନିକମାନଙ୍କ ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି। ଖୁବ୍ ଶୀଘ୍ର ପୁରସ୍କାର ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେବ ବୋଲି ଏକାଡେମୀର ମୁଖପାତ୍ର ସୂଚନା ଦେଇଛନ୍ତି।

୨୦୨୧ ଓ ୨୦୨୨ ବର୍ଷ ପାଇଁ ସମ୍ବଲପୁରର ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଏବଂ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଫେସର ବିଦ୍ୟୁତ କୁମାର ଦାସଙ୍କୁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ନଗଦ ୨ ଲକ୍ଷ ଟଙ୍କା ସହ ମେଡାଲ, ସ୍ମୃତିଚିହ୍ନ ଓ ପ୍ରଶଂସାପତ୍ର ଆଦି ପ୍ରଦାନ କରାଯିବ।

ସେହିପରି ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ବର୍ଗରେ ପ୍ରଫେସର ହୃଦୟନାଥ ଥାଟୋଇ (ଜୀବ ବିଜ୍ଞାନ), ଡ. ବିକାଶ କୁମାର ଜେନା (ଭୌତିକ ବିଜ୍ଞାନ), ଡ. ଅଶୋକ କୁମାର ସାହୁ (ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ଏବଂ ଡ. ନାରାୟଣ ପ୍ରସାଦ ପାଢ଼ୀ (ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ଙ୍କୁ ୨୦୨୧ ବର୍ଷ ପାଇଁ ପୁରସ୍କୃତ କରାଯିବ।

୨୦୨୨ ବର୍ଷ ପାଇଁ ପ୍ରଫେସର ରମେଶ ଚନ୍ଦ୍ର ପାତ୍ର (ଜୀବ ବିଜ୍ଞାନ), ଡ. ଭାଗ୍ୟଧର ଭୋଇ (ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି) ଓ ପ୍ରଫେସର ଦେବୀ ପ୍ରସନ୍ନ କାନୁନଗୋ (ସିଏସଆଇଆର)ଙ୍କୁ ପୁରସ୍କୃତ କରାଯିବ। ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା ସହ ମାନପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯିବ।

ଡ. ବାସୁଦେବ କର, ଡ. ସ୍ୱାଗତିକା ଦାଶ ଓ ଡ. ବିଷ୍ଣୁ ପ୍ରସାଦ ବିଶ୍ୱାଳଙ୍କ ନାମ ୨୦୨୧ ବର୍ଷ ପାଇଁ ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇବା ପାଇଁ ନାମ ଘୋଷଣା କରା ଯାଇଥିବା ବେଳେ ୨୦୨୨ ବର୍ଷ ପାଇଁ ଡ. ସୌମ୍ୟରଞ୍ଜନ ଜେନା, ଡ. ଉତ୍ତମ କୁମାର ପାଣିଗ୍ରାହୀ, ଡ. ସୌମ୍ୟ ପ୍ରକାଶ ଦାଶ ଓ ଡ. ରେଖା ବିଶ୍ୱାଳଙ୍କ ନାମ ଘୋଷଣା କରାଯାଇଛି।

ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର ବର୍ଗରେ ୨୦୨୧ ବର୍ଷ ପାଇଁ ଅରୁଣ କୁମାର ପାତ୍ର, ଡ. ଅସିତ କୁମାର ସ୍ୱାଇଁ ଏବଂ ୨୦୨୨ ବର୍ଷ ପାଇଁ କାର୍ତ୍ତିକ ସ୍ୱାଇଁ ଓ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କୁ ଚୟନ କରାଯାଇଛି। ଯୁବ ବୈଜ୍ଞାନିକ ଓ ଲେଖକଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯିବ।

ବରିଷ୍ଠ ବୈଜ୍ଞାନିକ ଭାବେ ୨୦୨୧ ବର୍ଷ ପାଇଁ ଡ. ସୁବାସିନୀ ଲେଙ୍କା, ଡ. ନିଖିଳାନନ୍ଦ ପାଣିଗ୍ରାହୀ, ପ୍ରଫେସର ଗଣପତି ପଣ୍ଡା, ଡ. ଧୀରେନ୍ଦ୍ର କୁମାର ଦାସ ଓ ଡ. ରାମଚନ୍ଦ୍ର ମହାନ୍ତିଙ୍କୁ ଏବଂ ୨୦୨୨ ବର୍ଷ ପାଇଁ ଡ. ସୁବୋଦ କୁମାର ସାହୁ, ଡ. ବିଜୟ କେତନ ପଟ୍ଟନାୟକ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରଫେସର ସତ୍ୟବାନ ଜେନା ଓ ଡ. ମନୋରଞ୍ଜନ କରଙ୍କୁ ସମ୍ମାନିତ କରାଯିବ।