ଅଭିଯୋଗ ଜଣାଇବାକୁ ୨୫ କିଲୋମିଟର ଚାଲିଲେ ଆଦିବାସୀ ସ୍କୁଲ ପିଲା

ରାୟଗଡ଼ାରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବାକୁ ୨୫ କିଲୋମିଟର ଚାଲି ଚାଲି ଗଲେ ଆଦିବାସୀ ସ୍କୁଲ ଛାତ୍ର।

ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କଲେ ଅଭିଯୋଗ

ରାୟଗଡ଼ା,୦୯/୧୨/୨୩: ଆଦିବାସୀ ଆବାସିକ ବିଦ୍ୟାଳୟର ଛାତ୍ରମାନେ ୨୫ କିଲୋମିଟର ଚାଲି ଚାଲି ରାୟଗଡ଼ା ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବଡ଼ରାଇସିଂ ଆଶ୍ରମ ବିଦ୍ୟାଳୟର ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪ ଜଣ ଛାତ୍ର ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ଛାତ୍ରମାନେ ଆଜି ସକାଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

ବିଦ୍ୟାଳୟରେ ଶିକ୍ଷାଦାନର ମାନ ଖରାପ ଥିବା ସହ ଅଧିକାଂଶ ଶିକ୍ଷକ କ୍ଲାସରେ ପାଠ ପଢ଼ାଇବାପାଇଁ ଯଥେଷ୍ଟ ସକ୍ଷମ ନୁହନ୍ତି। ଏହା ବ୍ୟତୀତ ହଷ୍ଟେଲରେ ଖାଦ୍ୟର ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର ବୋଲି ଛାତ୍ରମାନେ ଦାବି କରିଛନ୍ତି। ହଷ୍ଟେଲରେ ଉପଯୁକ୍ତ ଖାଦ୍ୟ ଦିଆଯାଉନଥିବା ବେଳେ ରୁମ ଭିତରେ ପାଣି ବୋତଲ ରଖିବାକୁ ଅନୁମତି ଦିଆଯାଉ ନଥିବାରୁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହଷ୍ଟେଲରେ ମୌଳିକ ସୁବିଧାର ଅଭାବ ରହିଥିବା ବେଳେ ଅନିୟମିତତା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ନିକଟରେ ଜଣେ ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ଚାପ ଯୋଗୁଁ ପିଲାମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇବାକୁ ସାହସ ଜୁଟାଇ ପାରିନଥିଲେ।

ପରିସ୍ଥିତି ଖରାପ ହେବାରୁ ଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ।