ଶ୍ରୀମନ୍ଦିର ପରିଦର୍ଶନ କଲେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ: ସମୟ ଭିତରେ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ

ସକାଳ ୭ଟାରୁ ଦୁଇ ଘଣ୍ଟା ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଶ୍ରୀ ପାଣ୍ଡିଆନ। ଆସନ୍ତା ସପ୍ତାହ ସୁଦ୍ଧା ବଫର ଜୋନ୍ ଓ ଲ୍ୟାଣ୍ଡସ୍କେପିଂ ଜୋନ୍ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମଠ ପୁନରୁଦ୍ଧାର ଉପରେ ଯଥେଷ୍ଟ ଧ୍ୟାନ

ଭୁବନେଶ୍ଵର, ୦୯/୧୨/୨୩: ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ପରିକ୍ରମା ପ୍ରକଳ୍ପ ଏବଂ ମନ୍ଦିର ଚାରିପଟେ ଧାଡ଼ି ପରିଚାଳନା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ସହ ମନ୍ଦିର ଭିତରକୁ ତୀର୍ଥଯାତ୍ରୀଙ୍କ ସୁରୁଖୁରୁରେ ଓ ସୁରକ୍ଷିତ ପ୍ରବେଶକୁ କିପରି ଧ୍ୟାନ ଦିଆଯିବ ସେ ନେଇ ସମୀକ୍ଷା କରିଛନ୍ତି।

ସେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ପ୍ରକଳ୍ପର ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ।

ଶ୍ରୀକ୍ଷେତ୍ରରୁ ପ୍ରକଳ୍ପର ଅଗ୍ରଗତି, ଲ୍ୟାଣ୍ଡସ୍କେପିଂ କାର୍ଯ୍ୟ, ମଠ ପୁନରୁଦ୍ଧାର, ପାର୍କିଂ (ଜେବିପିସି) ଏବଂ ମରିଚିକୋଟରୁ ଦୋଲାବେଡି ପର୍ଯ୍ୟନ୍ତ ଧାଡ଼ି ପରିଚାଳନା ବ୍ୟବସ୍ଥାର ସମୀକ୍ଷା କରିଥିଲେ।

ଶ୍ରୀ ପାଣ୍ଡିଆନ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସେହି ଅନୁଯାୟୀ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦୋଳବେଡ଼ି ପୁନରୁଦ୍ଧାର, ଏମାର ମଠ, ପଞ୍ଜାବୀ ମଠ, ପରିକ୍ରମା ଚାରିପଟେ ଉତ୍ତରପର୍ବ ମଠ ଓ ଚିତ୍ରକଳା ଉପରେ ଯଥେଷ୍ଟ ଅଗ୍ରଗତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଦକ୍ଷିଣ, ପଶ୍ଚିମ ଓ ଉତ୍ତରର ବିଭିନ୍ନ ଅଞ୍ଚଳରେ କରାଯାଇଥିବା ଲ୍ୟାଣ୍ଡସ୍କେପିଂର ଯାଞ୍ଚ ଓ ସମୀକ୍ଷା କରିବା ସହ ଆସନ୍ତା ସପ୍ତାହ ସୁଦ୍ଧା ସବୁ ପାର୍ଶ୍ବରେ ଥିବା ବଫର ଜୋନ୍ ଓ ଅନ୍ୟାନ୍ୟ ଲ୍ୟାଣ୍ଡସ୍କେପିଂ ଜୋନ୍ କୁ ଯଥେଷ୍ଟ ପରିମାଣରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଜ୍ୟବସ୍ତୁ ବିଶୋଧନ କାରଖାନା (ଇଟିପି), ଆବର୍ଜନା ବାହାରିବା ପାଇଁ ପଥ, ସବ୍ ଷ୍ଟେସନ ସ୍ଥାନାନ୍ତର ନିର୍ଦ୍ଧାରିତ ସମୟ ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମେଘନାଦ ପଚିରି ନିକଟରେ ବିଦ୍ୟୁତ କାର୍ଯ୍ୟ ଠିକ୍ ସମୟରେ ଶେଷ କରିବା ଏବଂ ୟୁଟିଲିଟି ସ୍ଥାନାନ୍ତର କରିବା, ଜଗନ୍ନାଥ ବଲ୍ଲଭ ଅଞ୍ଚଳ, ଶ୍ରୀମାର୍ଗ ଓ ପ୍ରମୋଦ ଉଦ୍ୟାନର ବିକାଶ ପରିଦର୍ଶନ କରି ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ପାଣ୍ଡିଆନ। ଏହା ସହ ସମସ୍ତ କାମକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ; ପୁରୀ ଏସ୍ ପି, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଡ. ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।