ଆୟକର ଚଢଉକୁ ନେଇ ବିଜେପି ହୀନ ରାଜନୀତି କରୁଛି: ବିଜେଡି

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଟୁଇଟ୍ ପଢିବାକୁ ରାଜ୍ୟ ବିଜେପିକୁ ବିଜେଡିର ପରାମର୍ଶ

ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ରାଜ୍ୟ ବିଜେପି ଗପ କହୁଛି

ଭୁବନେଶ୍ୱର, ୦୯/୧୨/୨୦୨୩: ଆୟକର ବିଭାଗର ଚଢାଉକୁ ନେଇ ଓଡିଶା ବିଜେପି ନେତାମାନେ ହୀନ ରାଜନୀତିର ଉଦ୍ଦେଶ୍ୟ ରଖି ବୟାନ ଦେଇ ଲୋକହସା ହେବା ଆଗରୁ ବୋଧହୁଏ ଦେଖୁନାହାନ୍ତି କିମ୍ବା ବୁଝୁ ନାହାନ୍ତି ଯେ ତାଙ୍କ ନିଜ ଦଳର ରାଷ୍ଟ୍ରୀୟ ସ୍ତରର ନେତାମାନେ କ’ଣ ମତ ରଖୁଛନ୍ତି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ଶ୍ରୀମତୀ ଇପ୍ସିତା ସାହୁ ।

ବିଜେଡି ପ୍ରବକ୍ତା ଶ୍ରୀମତୀ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ଟୁଇଟ୍‍ କରି କହିଛନ୍ତି, ଦେଶବାସୀ ଏହି ଟଙ୍କାର ସମାହାରକୁ ଦେଖନ୍ତୁ ଆଉ ଏମାନଙ୍କର ନେତାଙ୍କର ସ୍ୱଚ୍ଛତାର ଭାଷଣ ଶୁଣନ୍ତୁ । ଜନତାଙ୍କ ଠାରୁ ଯାହା ଲୁଟିଛନ୍ତି, ପ୍ରତିଟି ପଇସା ଫେରାଇବାକୁ ପଡିବ । ଜାତୀୟ ସ୍ତରର ଗଣମାଧ୍ୟମ ଦୈନିକ ଭାଷ୍କରରେ ପ୍ରକାଶିତ ଏକ ରିପୋର୍ଟର ଫଟୋକୁ ନିଜ ଟୁଇଟ୍‍ରରେ ସ୍ଥାନ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ । ଯେଉଁଥିରେ ଶୀର୍ଷକ ରହିଛି, ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ୧୦ଟି ସ୍ଥାନରେ ଚଢାଉ ।୨୦୦ କୋଟି ନଗଦ ମିଳିଲା, ଗଣତି ଜାରି ।

ବିଜେପିର ରାଷ୍ଟ୍ରୀୟ ସ୍ତରର ନେତା ଓ ଝାଡଖଣ୍ଡର ବିଜେପି ୟୁନିଟ୍‍ର ନେତାମାନେ, କଂଗ୍ରେସକୁ ସମାଲୋଚନା କରିବା ସହ ମିଳିଥିବା ଅର୍ଥ କଂଗ୍ରେସର ବୋଲି ସ୍ପଷ୍ଟ ଭାବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଝାଡଖଣ୍ଡ କଂଗ୍ରେସ କହୁଛି, ମିଳିଥିବା ବିପୁଳ ପରିମାଣର ନଗଦ ଅର୍ଥ ସହ ବିଜେପି ନେତାଙ୍କର ସମ୍ପର୍କ ରହିଛି ।

ହେଲେ ଓଡିଶା ବିଜେପିର ଅବସ୍ଥା କିନ୍ତୁ କାଳି ଗାଈର ଭିନ୍ନ ଗୋଠ ପରି । ମିଡିଆରେ ମୁହଁ ଦେଖାଇବାକୁ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ପ୍ରତିଯୋଗିତା ପାଇଁ ଅନେକବାର ସେମାନେ ମିଛ ଖବରର ସାହାରା ନିଅନ୍ତି । ଏଥିପାଇଁ ହୀନ ବୁଦ୍ଧି ଖଟାଇ ପ୍ରସଙ୍ଗ ଭିତରକୁ କିଭଳି ବିଜେଡିକୁ ଟାଣିବେ ସେନେଇ ଖସଡା ପ୍ରସ୍ତୁତ କରି ମନଇଚ୍ଛା ମିଛ ଗପି ଚାଲନ୍ତି । ଯେଉଁଥିପାଇଁ ଅନେକବାର ଲୋକହସା ବି ହୋଇଛନ୍ତି । ଏଭଳି ହୀନ ରାଜନୀତି ପାଇଁ ବିଜେପିକୁ ଓଡିଶାବାସୀ ବାରମ୍ବାର ପ୍ରତ୍ୟାଖାନ କରିଛନ୍ତି ଏବଂ ଆଗକୁ ମଧ୍ୟ ପ୍ରତ୍ୟାଖାନ କରିବେ ବୋଲି ଶ୍ରୀମତୀ ସାହୁ କହିଛନ୍ତି ।