ଦର୍ଶକଙ୍କୁ ଆକର୍ଷିତ କରୁଛି ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ

ଏହି ଭିଣ୍ଟେଜ କାର ପ୍ରଦର୍ଶନୀରେ ୧୦୦ ବର୍ଷରୁ ଅଧିକ ପୁରୁଣା କାର୍ ର ସଂଗ୍ରହ ପ୍ରଦର୍ଶିତ ହୋଇଛି।

ଓଡ଼ିଶାରେ ପ୍ରଥମ ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ

ଭୁବନେଶ୍ବର, ୧୦/୧୨/୨୩: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ପ୍ରଥମ ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ ପ୍ରଦର୍ଶନୀ ‘ଓଡ଼ିଶା କନକର୍ସ ଡି’ଏଲେଜେନ୍ସ’ ଶନିବାର ଠାରୁ ଆରମ୍ଭ ହୋଇଛି। ଦର୍ଶକଙ୍କ ମନ ମୋହୁଛି ଏହି ଭିଣ୍ଟେଜ କାର ପ୍ରଦର୍ଶନୀ। ଏହି ପ୍ରଦର୍ଶନୀରେ ସଂଗ୍ରୃହୀତ ୧୦୦ ବର୍ଷରୁ ଅଧିକ ପୁରୁଣା ଏବଂ କ୍ଲାସିକ୍ କାରର ପ୍ରଦର୍ଶିତ ହେଉଛି। ଏକ୍ସପୋରେ ବେଞ୍ଜ ମୋଟରୱେଗନ, ରୋଲ୍ସ-ରଏସ୍, ଫୋର୍ଡ, ଜାଗୁଆର, ବୁଗାଟି, ବ୍ରିଟିଶ କ୍ଲାସିକ୍ସ ଏବଂ ଏମକେ ଭି ସମେତ ୫୨ଟି ଐତିହାସିକ ଚାରି ଚକିଆ ଯାନର ପ୍ରଦର୍ଶନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ ସୋ’କୁ ଗତ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ପ୍ରଦର୍ଶନୀ ଆୟୋଜନ କରାଯାଉଛି। ଏହାକୁ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ କରିବାକୁ ଚେଷ୍ଟା କରାଯିବ। ଆଗାମୀ ଥର ଏହି ପ୍ରଦର୍ଶନୀକୁ ବିଶାଳ କରିବାକୁ ଯୋଜନା କରାଯାଉଛି ବୋଲି ଏହି କାର ପ୍ରଦର୍ଶନୀର ଆୟୋଜକମାନେ କହିଛନ୍ତି।

୧୦୦ ବର୍ଷ ପୂର୍ବେ ଏକଦା ଏହି କାରଗୁଡ଼ିକ ତତ୍କାଳୀନ ରାଜା ଓ ରାଜପରିବାରର ସାମାଜିକ ସ୍ଥିତିର ପ୍ରତୀକ ଥିଲା। ଏହି କ୍ଲାସିକ ଯାନ କେବଳ ପୁରୁଣା ମଡେଲ କାର ନୁହେଁ; ବରଂ ଏଗୁଡ଼ିକ ସମୃଦ୍ଧ ଇତିହାସର ଏକ ଅଂଶ। ଯଦିଓ ଏମାନଙ୍କ ମଧ୍ୟରୁ ଅଧିକାଂଶ କାର୍ ୧୦୦ ବର୍ଷ ଅତିକ୍ରମ କରିସାରିଛି, ତଥାପି ସେଗୁଡ଼ିକୁ ବହୁତ ଭଲ ଅବସ୍ଥାରେ ରଖାଯାଇଛି।

ପ୍ରଦର୍ଶନୀ କରାଯାଉଥିବା ଏହି କାରକୁ ତିନୋଟି ବର୍ଗରେ ବର୍ଗୀକରଣ କରାଯାଇଛି। ୧୯୧୯-୧୯୩୦ ମଧ୍ୟରେ ନିର୍ମିତ ଯାନକୁ ଭିଣ୍ଟେଜ୍ କାର, ୧୯୩୦-୧୯୭୫ ସମୟର ପୁରୁଣା କାର୍ ଏବଂ ୧୯୭୫-୨୦ ସମୟରେ ନିର୍ମିତ ଯାନକୁ କ୍ଲାସିକ୍ କାର୍ ବୋଲି କୁହାଯାଏ। ଏହି ସଂଗୃହୀତ କାରଗୁଡ଼ିକ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ହେଉଛି ଆଲଭିସ୍ ୨୫ ଡିଏଚ୍ସି ମଡେଲ୍ କାର। ୧୯୩୭ ମସିହାରେ ମୟୂରଭଞ୍ଜ ରାଜପରିବାର ଏହି କଳା ରଙ୍ଗର ବିଳାସପୂର୍ଣ୍ଣ କାର୍ ବ୍ୟବହାର କରିଥିଲେ।