ଗରିବଙ୍କ ପଇସାକୁ ଲୁଟୁଥିବା ଲୋକମାନେ ଜେଲ୍ ଯିବେ – ଧର୍ମେନ୍ଦ୍ର ପ୍ରଧାନ

ଯେଉଁମାନେ ଜବତ ହୋଇଥିବା ଅର୍ଥ କାରବାରରେ ସଂଶ୍ଲିଷ୍ଟ ଅଛନ୍ତି, ସେମାନେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ମୋଦି ସରକାର କାହାକୁ ବି ଛାଡିବେ ନାହିଁ: ଧର୍ମେନ୍ଦ୍ର

ରାଜ୍ୟରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ଡିସେମ୍ବର ୧୦- ଯେଉଁମାନେ ଗରିବଙ୍କ ଟଙ୍କାକୁ ଲୁଟୁଛନ୍ତି, ସେମାନଙ୍କୁ ଜେଲ ପଠାଯିବ । ମୋଦି କାହାକୁ ଛାଡିବେ ନାହିଁ ବୋଲି ରାଜ୍ୟରେ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶାରେ ୮୦ ପ୍ରତିଶତ ଲୋକ ମୋଦିଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ମୋଦିଙ୍କ ଶାସନ ବ୍ୟବସ୍ଥାକୁ ଲୋକମାନେ ପସନ୍ଦ କରୁଛନ୍ତି । ଓଡ଼ିଶା ସମେତ ଦେଶର ଜନସାଧାରଣ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି । ଯେଉଁମାନେ ଜବତ ହୋଇଥିବା ଅର୍ଥ କାରବାରରେ ସଂଶ୍ଲିଷ୍ଟ ଅଛନ୍ତି, ସେମାନେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ମୋଦି ସରକାର କାହାକୁ ବି ଛାଡିବେନାହିଁ । ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ ।

ଏହି ଘଟଣାରେ ଯେଉଁ କଂଗ୍ରେସ ସାଂସଦଙ୍କ ନାଁ ଆସୁଛି, ତାଙ୍କ ପରିବାର ଲଗାତାର ଭାବେ ଓଡିଶାରେ ବ୍ୟବସାୟ କରି ଆସୁଥିଲା । ଯେଉଁମାନେ ଉତ୍ତରଦାୟୀ, ସେମାନେ ଚୁପ୍ ରହି ଉତ୍ତର ଦେବାକୁ ବାଧ୍ୟ ହେବେ । ଏହା ଲୋକଙ୍କ ଅପେକ୍ଷା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।