ଜାମ୍ମୁ-କଶ୍ମୀର: ଧାରା ୩୭୦ ଉଚ୍ଛେଦ ବୈଧ; ୪ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ରାୟ

ଜାମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ୪ ବର୍ଷ ପରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି।

ଜାମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୧/୧୨/୨୦୨୩: ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଧାରା ୩୭୦ ଉଚ୍ଛେଦକୁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଧାରା ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ଆବେଦନ ଉପରେ ସର୍ବସମ୍ମତିକ୍ରମେ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଯେ ଜାମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କାଏମ ରହିବ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ। ରାଷ୍ଟ୍ରପତିଙ୍କ ନିଷ୍ପତ୍ତିରେ କିଛି ଭୁଲ ନାହିଁ। ୩୭୦ ଉପରେ ନିଷ୍ପତ୍ତି ନେବାର ଅଧିକାର ରାଷ୍ଟ୍ରପତିଙ୍କର ରହିଛି। ସଂସଦର ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ପାରିବନି।

ଧାରା ୩୭୦ ସମ୍ପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଧାରା ୩୭୦ ଜାମ୍ମୁ-କଶ୍ମୀରକୁ ଭାରତରେ ମିଶ୍ରଣ ପାଇଁ ଉଚ୍ଛେଦ କରାଯାଇଥିଲା। ଧାରା ୩୭୦ ଉଚ୍ଛେଦ ଆଇନ ଅନୁସାରେ ସମ୍ପୂର୍ଣ୍ଣ ଠିକ୍। ଜାମ୍ମୁ-କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେଠାରେ ଭାରତର ସମ୍ବିଧାନ ଚାଲିବ, ଏହି ପ୍ରକ୍ରିୟା ସାମ୍ବିଧାନିକ ବୈଧ। ଭାରତରେ ମିଶ୍ରଣ ପରେ ଆଉ ସ୍ୱତନ୍ତ୍ର ମାନ୍ୟତା ତଥା ସ୍ୱତନ୍ତ୍ର ସାର୍ବଭୌମତ୍ୱ ବଜାୟ ରଖି ପାରିବନି। ସମ୍ବିଧାନର ସବୁ ଅନୁଚ୍ଛେଦ ଜାମ୍ମୁ-କଶ୍ମୀର ପାଇଁ ଲାଗୁ ହୋଇ ପାରିବ। ଧାରା ୩୭୦ ଜମ୍ମୁ-କଶ୍ମୀରର ଏକୀକରଣକୁ ସ୍ଥଗିତ ରଖିନାହିଁ। ଧାରା ୩୭୦ ଏକୀକରଣ ପାଇଁ, ବିଭାଜନ ପାଇଁ ନୁହେଁ। ଜାମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ମିଳୁ ଏବଂ ଜମ୍ମୁ-କଶ୍ମୀରରେ ୩୦ ସେପ୍ଟେମ୍ବର ୨୦୨୪ ପୂର୍ବରୁ ନିର୍ବାଚନ ହେବା ଉଚିତ। ସେହିପରି ଧାରା ୩ ଅନୁସାରେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ମାନ୍ୟତା ପାଇଁ ଅନୁମତି ମିଳୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଏକାଧିକ ପିଟିସନ୍ ଉପରେ ନିଷ୍ପତ୍ତି ନେବାପାଇଁ ଏହି ଖଣ୍ଡପୀଠଙ୍କୁ ଦାୟିତ୍ବ ଦିଆଯାଇଥିଲା।