ଜାନୁଆରୀ ୨ରୁ +୨ ପ୍ରାକ୍ଟିକାଲ ପରୀକ୍ଷା

ଜାନୁଆରୀ ୨ରୁ ୧୨ ତାରିଖ ଯାଏଁ +୨ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ।

ଫେବୃୟାରୀ ୧୬ରୁ ଥିଓରୀ

ଭୁବନେଶ୍ବର, ୧୨/୧୨/୨୩: ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନରେ ପରିଚାଳିତ ହେଉଥିବା ଯୁକ୍ତ ଦୁଇର ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ରୁ ଆରମ୍ଭ ହେବାକୁ ଯାଉଛି। ସେହିପରି ଲିଖିତ ପରୀକ୍ଷା ଆସନ୍ତା ଫେବୃୟାରୀ ୧୬ରୁ ଆରମ୍ଭ ହେବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଡିସେମ୍ବର ୨୬ରୁ ପରୀକ୍ଷା ସମ୍ବନ୍ଧୀୟ ଫର୍ମ, ପ୍ରଶ୍ନପତ୍ର, ଉତ୍ତର ଖାତା ଇତ୍ୟାଦି ପରୀକ୍ଷା କେନ୍ଦ୍ରକୁ ପଠାଇବ। ଡିସେମ୍ବର ୩୧ ସୁଦ୍ଧା ଏହା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିବ।

ସେହିପରି ପ୍ରାକ୍ଟିକାଲ ପାଇଁ ୧୫ ମାର୍କ ସହ ୨ ଘଣ୍ଟା, ୬୦, ୩୦ ଓ ୨୦ ମାର୍କ ପରୀକ୍ଷା ପାଇଁ ୩ ଘଣ୍ଟା ରଖାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି।

ଜାନୁଆରି ୨ରୁ ୧୨ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟ ତଥା ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂଗୋଳ, ଭୂବିଜ୍ଞାନ ଓ ଆଇଟି ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ସେହିପରି କଳା ବିଭାଗର ଶିକ୍ଷା, ଆଇଟି, ମନୋବିଜ୍ଞାନ, ମାନବବିଜ୍ଞାନ, ଭାରତୀୟ ସଙ୍ଗୀତ, ଗୃହ ବିଜ୍ଞାନ, ପରିସଂଖ୍ୟାନ ଓ ଭୂଗୋଳ ଏବଂ ବାଣିଜ୍ୟ ବିଭାଗର ଆଇଟି ଓ କମ୍ପ୍ୟୁଟର ସାଇନ୍ସ ବିଷୟରେ ପ୍ରାକ୍ଟିକାଲ ପରୀକ୍ଷା ହେବ।