କେନ୍ଦ୍ରମନ୍ତ୍ରୀଙ୍କ ଚାପରେ ବିଭ୍ରାନ୍ତିକର ବୟାନ ଦେଉଛନ୍ତି ମନମୋହନ: ବିଜେଡି

ଜବତ ଟଙ୍କା କଂଗ୍ରେସ ସାଂସଦଙ୍କର ବୋଲି ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ: ଲେନିନ

ପିଏମଙ୍କ ଟ୍ୱିଟକୁ ରାଜ୍ୟ ବିଜେପିର ଅଣଦେଖା: ବିଜେଡି

ଭୁବନେଶ୍ବର, ୧୪/୧୨/୨୩: ଆୟକର ବିଭାଗର ଚଢ଼ାଉ ନେଇ ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧ ହୁଏ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ କରିଥିଲେ। ତାଙ୍କ ଟ୍ୱିଟରୁ ସ୍ପଷ୍ଟ ଭାବେ ଜଣା ପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ଏବଂ ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ। ଆମେ ଅନୁରୋଧ କରୁଛୁ, ମନମୋହନ ବାବୁଙ୍କ ପାଖେ ଯଦି ତାଙ୍କ କେନ୍ଦ୍ରୀୟ ନେତୃତ୍ୱଙ୍କ ଅପେକ୍ଷା ଅଧିକ ତଥ୍ୟ ରହିଛି, ତାହାଲେ ସେମାନଙ୍କ ନିକଟରେ ଉପସ୍ଥାପନା କରନ୍ତୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି।

ଶଙ୍ଖ ଭବନଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡ଼ ମହାନ୍ତି କହିଛନ୍ତି ଯେ, ଅତୀତରେ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢ଼ାଉରୁ ୫୦୦ କୋଟି ଟଙ୍କାର ସୁନା ମିଳିଥିଲା। ସେହିପରି କର୍ଣ୍ଣାଟକରେ ଯେତେବେଳେ ବିଜେପି ସରକାର ଥିଲା ସେତେବେଳେ ଚଢାଉରୁ ସୁନା ଓ ଟଙ୍କା ମିଶାଇ ପାଖାପାଖି ୩୦୦ କୋଟି ଟଙ୍କା ଜବତ ହୋଇଥିଲା। ମହାରାଷ୍ଟ୍ରରେ ନିୟମିତ ଭାବେ ଆୟକର ବିଭାଗ ଚଢ଼ାଉ କରୁଛି ଏବଂ ଶହ ଶହ କୋଟିର ନଗଦ ଟଙ୍କା ଆଉ ସୁନା ଜବତ କରୁଛି। ମନମୋହନ ବାବୁ କଣ କହିବାକୁ ଚାହୁଁଛନ୍ତି ଯେ ଯେଉଁ ବିଜେପି ଶାସିତ ରାଜ୍ୟରୁ ଟଙ୍କା ଆଉ ସୁନା ମିଳୁଛି ସେସବୁ ଉକ୍ତ ରାଜ୍ୟର ବିଜେପି ନେତାଙ୍କର ସମ୍ପତ୍ତି। ମନମୋହନ ସାମଲଙ୍କ ଆଜିର ବୟାନ ଦେଖି ଲାଗୁଛି, ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଳ ଚାପ ପରେ ସେ ଏଭଳି ପ୍ରତିକ୍ରିୟା ରଖିଥିବା ଡକ୍ଟର ମହାନ୍ତି କହିଛନ୍ତି।