କେରେଡାଗଡ ପଞ୍ଚାୟତ, ପ୍ରାଥମିକ ବିଦ୍ୟାଳୟ ପାଇଁ ୨୦ ଲକ୍ଷ

କେନ୍ଦ୍ରାପଡା ଜିଲ୍ଲାର କେରେଡାଗଡ ପ୍ରାଥମିକ ବିଦ୍ୟାଳୟର ଉନ୍ନତି ଓ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ତଥା ଉନ୍ନତିକରଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।

୫-ଟି ଅଧ୍ୟକ୍ଷଙ୍କ ଗସ୍ତର ୨୪ ଘଣ୍ଟା ମଧ୍ୟରେ ଅର୍ଥ ମଞ୍ଜୁର

ଭୁବନେଶ୍ବର, ୨୦.୧୨.୨୦୨୩: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ର ଉନ୍ନତି ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତ ପୋଖରୀର ସଂରକ୍ଷଣ ଓ ଉନ୍ନତିକରଣ କରାଯିବ।

ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖ ଦିନ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ କେନ୍ଦ୍ରାପଡା ରାଜନଗର ଗସ୍ତରେ ଯାଇ କେରେଡାଗଡବାସୀଙ୍କ ଏହି ମୌଳିକ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ନିବେଦନ କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ଏ ବିଷୟରେ ଜାଣିବାପରେ ଆଜି ‘ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠି’ରୁ ୨ଟି ଯାକ ପ୍ରକଳ୍ପ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସମୁଦାୟ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ୨ଟିର କାର୍ଯ୍ୟ ଯଥା ଶୀଘ୍ର ସମ୍ପନ୍ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଜନଅଭିଯୋଗର ସମାଧାନ କେରେଡାଗଡବାସୀଙ୍କ ପାଇଁ ଏକ ବିରଳ ଅନୁଭୁତି।

ରାଜ୍ୟ ସରକାରଙ୍କର ଏହି ତ୍ୱରିତ ପଦକ୍ଷେପ ପାଇଁ କେରେଡାଗଡବାସୀ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି।