ସିମୁଳିଆ ବିଡିଓଙ୍କ ଆତ୍ମହତ୍ୟା ଘଟଣାରେ ଜିଲ୍ଲାପାଳ ଦାୟୀ!

ସିମୁଳିଆ ବିଡିଓ ବିଶ୍ବରଞ୍ଜନଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ବାପା ନରେନ୍ଦ୍ର ମହାନ୍ତି ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି।

ଜିଲ୍ଲାପାଳ କାମର ଚାପ ଦେଉଥିଲେ: ବିଶ୍ବରଞ୍ଜନଙ୍କ ବାପା

ବାଲେଶ୍ୱର, ୧୧/୦୧/୨୪: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଆଜି ତାଙ୍କ ସରକାରୀ ବାସଭବନରେ ଦେଖିବାକୁ ମିଳିଛି।

ଅଧିକାରୀ ବିଶ୍ୱରଞ୍ଜନ ମହାନ୍ତି ଦୁଇ ମାସ ତଳେ ସିମୁଳିଆ ବ୍ଲକର ବିଡିଓ ଭାବେ ଯୋଗ ଦେଇଥିଲେ। ଆଜି ପୂର୍ବାହ୍ନ ୧୧ଟାରେ ସେ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ଅପରାହ୍ନ ୩ଟାରେ ସେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ନଦେବାରୁ କାର୍ଯ୍ୟାଳୟ କର୍ମଚାରୀମାନେ ତାଙ୍କ କ୍ୱାର୍ଟର୍ସ ପରିଦର୍ଶନ କରିଥିଲେ। ସେମାନେ ଅଧିକାରୀଙ୍କୁ ଛାତରେ ଗାମୁଛାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

କର୍ମଚାରୀମାନେ ସଙ୍ଗେ ସଙ୍ଗେ ପୁଲିସ ଓ ଅନ୍ୟ ଅଧିକାରୀଙ୍କୁ ଖବର ଦେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ସ୍ଥାନୀୟ ତହସିଲଦାରଙ୍କ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏ ସଂକ୍ରାନ୍ତରେ ବିଶ୍ବରଞ୍ଜନଙ୍କ ବାପା ନରେନ୍ଦ୍ର ମହାନ୍ତି ଜିଲ୍ଲାପାଳଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଜିଲ୍ଲାପାଳ ଛୁଟି ଦେଉ ନ ଥିଲେ। ଅକ୍ଟୋବର ୨୫ରେ କାମରେ ଯୋଗଦେଇ ଘରକୁ ଆସି ନ ଥିଲେ। ଜିଲ୍ଲାପାଳ ବହୁତ କାମ ଚାପ ଦେଉଥିଲେ। ପ୍ରବଳ କାମ ଚାପ ସହ ଛୁଟି ମିଳୁନଥିବାରୁ ମାନସିକ ଦୁଶ୍ଚିନ୍ତାର ଥିଲା। ଆଉ ମାତ୍ର ଅଢ଼େଇ ବର୍ଷ ଚାକିରି ଥିଲା।”

ତେବେ ନରେନ୍ଦ୍ରଙ୍କ ଅଭିଯୋଗ ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ କୌଣସି ପ୍ରତିକ୍ରିୟା ମିଳିନି।