ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଏସ ସ୍ତରରେ ୧୨ ଜଣ ଅଫିସରଙ୍କୁ ଅଦଳବଦଳ କରାଯାଇଛି।

ସୋନପୁରର ନୂଆ ଉପଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ବର, ୧୩/୦୧/୨୪: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଓଏଏସ୍ ଅଫିସର ତଥା ଝାରସୁଗୁଡ଼ା ଏଡିଏମ୍ ଲଙ୍କେଶ୍ୱର ଅମାତଙ୍କୁ ବଦଳି କରି କଳିଙ୍ଗନଗର ଏଡିଏମ୍ ଭାବେ ଅବସ୍ଥାପିତ କରାଯାଇଛି। ସିଏମସିର ଯୁଗ୍ମ କମିଶନର ଅନୀତା ପାତ୍ରଙ୍କୁ ଜଗତସିଂହପୁର ଏଡିଏମ୍ ଭାବେ ଅବସ୍ଥାପିତ କରାଯାଇଛି।

କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଏବଂ ବସନ୍ତ କୁମାର ସେଠୀଙ୍କୁ କେନ୍ଦୁଝର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

ସେହିପରି ତ୍ରିଲୋଚନ ମହାନ୍ତିଙ୍କୁ କେନ୍ଦୁଝର ଉପଜିଲ୍ଲାପାଳ, ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସିଏମସିର ଯୁଗ୍ମ କମିଶନର ଓ ସୁଧାଂଶୁ କୁମାର ଭୋଇନଙ୍କୁ ଗଞ୍ଜାମ ଜିଲ୍ଲା ନଗର ଉନ୍ନୟନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ପଲ୍ଲବୀ ନାୟକଙ୍କୁ ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ଭାବେ ବଦଳି କରାଯାଇଥିବା ବେଳେ ସୁରଜ କୁମାର ପଟ୍ଟନାୟକଙ୍କୁ ସୋନପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ), ସୁବ୍ରତ କୁମାର ଜେନାଙ୍କୁ ବ୍ରହ୍ମପୁର ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀ, ଅମିତ ସରକାରଙ୍କୁ କୋରାପୁଟର ଏଡିଏମ୍ ଓ ମଧୁସ୍ମିତା ସାମନ୍ତରାୟଙ୍କୁ ବାରିପଦା ପୌରପାଳିକାନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି।