ଭକ୍ତ ଓ ଭଗବାନଙ୍କ ସେବାରେ ହିଁ ଆତ୍ମସନ୍ତୋଷ ଆସେ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ ଜିନ୍ଦଲ ନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ କାର୍ଯ୍ୟରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବାକୁ ଧର୍ମେନ୍ଦ୍ରଙ୍କ ନିବେଦନ

ଅନୁଗୋଳ, ୧୩/୦୧/୨୦୨୪: ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବା ପାଇଁ ଯାଉଥିବା ବେଳେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲ୍ଲା ଜିନ୍ଦଲ ନଗର ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ କାର୍ଯ୍ୟରେ ସାମିଲ ହୋଇ ଶ୍ରମଦାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଇଛି । ଓଡ଼ିଶା ସମେତ ଦେଶର କୋଣ ଅନୁକୋଣରେ ଜନସାଧାରଣମାନେ ଶ୍ରୀରାମଙ୍କ ସ୍ୱାଗତ କରିବା ପାଇଁ ଉତ୍ସାହିତ ଅଛନ୍ତି । ଏହା ଆମ ଦେଶ ପାଇଁ ଏକ ମହାନ ଅବସର । ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ଆମର ସମସ୍ତ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ଶ୍ରମଦାନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜିନ୍ଦଲ ନଗର ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ସଫେଇ କାର୍ଯ୍ୟରେ ସାମିଲ ହେବା ମୋର ସୌଭାଗ୍ୟ । ଭକ୍ତ ଓ ଭଗବାନଙ୍କ ସେବାରେ ହିଁ ଆତ୍ମସନ୍ତୋଷ ମିଳେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସନ୍ତାକାଲି ଠାରୁ ଆଖପାଖ ମନ୍ଦିର ଓ ତୀର୍ଥସ୍ଥଳୀକୁ ପବିତ୍ର ରଖିବା ପାଇଁ ଆମେ ସମସ୍ତେ ନିଜ ନିଜର ଶ୍ରମଦାନ ରଖିବା । ସେହିପରି ଜାନୁଆରୀ ୨୨ ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭାବରେ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଲୋକ ମାନଙ୍କୁ ନିବେଦନ କରିଛନ୍ତି।