ଦେବଗଡ଼ ନବୋଦୟ ବିଦ୍ୟାଳୟରେ ୭.୬୦ କୋଟିର ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ

ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ନବଦୋୟ ବିଦ୍ୟାଳୟ ଭଲ ପ୍ରୟାସ

ଶିକ୍ଷା ଜ୍ଞାନ ଦିଏ ଏବଂ ଦକ୍ଷତା ସାମର୍ଥ୍ୟ ବଢାଏ: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ, ୧୩/୦୧/୨୦୨୪: ଶିକ୍ଷା ଜ୍ଞାନ ଆହରଣର ଅବସର ଦିଏ । ଦକ୍ଷତା ବିକାଶ ଦକ୍ଷତା ଓ ସାମର୍ଥ୍ୟକୁ ବଢାଇଥାଏ । ଶିକ୍ଷା ବ୍ୟବସ୍ଥାରେ ଡିଗ୍ରୀ ଓ ଦକ୍ଷତା ବିକାଶ ଉଭୟ ମହତ୍ତ୍ୱପୂର୍ଣ୍ଣ ବୋଲି ଶନିବାର ଦେବଗଡ଼ ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ୭.୬୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ କାର୍ଯ୍ୟ ସମେତ ଫୁଟବଲ ଫର୍ ସ୍କୁଲର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନବୋଦୟ ବିଦ୍ୟାଳୟ ଦେଶର ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା । ରାଷ୍ଟ୍ରୀୟ ଶିକ୍ଷା ନୀତି ଉଦ୍ଦେଶ୍ୟରେ ଅନ୍ତର୍ଗତ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ଏହି ବିଦ୍ୟାଳୟ ଏକ ପ୍ରୟାସ । ନିକଟରେ ଜବାହର ନବୋଦୟ ବିଦ୍ୟାଳୟ, ଦେବଗଡକୁ ପିଏମ୍ ଶ୍ରୀ ସ୍କୁଲ ଭାବରେ ବିକଶିତ କରାଯାଇଛି । ଆଜି ସ୍କୁଲରେ ପ୍ରାୟ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଶିଳାନ୍ୟାସ ହୋଇଥିବା ୭୫୦ ସିଟ୍ କ୍ଷମତା ବିଶିଷ୍ଟ ବହୁମୁଖୀ ସଭାଗୃହ ଛାତ୍ରଛାତ୍ରୀମାନଙ୍କୁ ଦେଶ ଦୁନିଆ ସହ ଯୋଡିବ । ସେହିପରି ନବୋଦୟ ବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ବଢୁଥିବା ଦୃଷ୍ଟିରୁ ଆଜି ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତିରିକ୍ତ ଛାତ୍ରୀନିବାସର ଉଦଘାଟନ ହୋଇଛି । ଏହି ହଷ୍ଟେଲ ଦ୍ୱାରା ଛାତ୍ରୀମାନେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହି ମର୍ମରେ ବିଦ୍ୟାଳୟରେ ପିଲାଙ୍କ ଦକ୍ଷତା ବିକାଶ ବୃଦ୍ଧି ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ସ୍କିଲ୍ ଲ୍ୟାବ ଉଦଘାଟିତ ହୋଇଛି । ଆଜି ଲୋକାର୍ପିତ ସ୍କିଲ୍ ଲ୍ୟାବ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବ ।

ଏହି ଅବସରରେ ଶ୍ରୀ ପ୍ରଧାନ ବିଦ୍ୟାଳୟରେ ଆୟୋଜିତ ପ୍ରଦର୍ଶନୀ ବୁଲିବା ସହ ଛାତ୍ରଛାତ୍ରୀଙ୍କ ବୁଦ୍ଧିମତା କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିଦାତା ହେବା ପାଇଁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଅଙ୍କିତ୍ ସାମନ୍ତ ଏବଂ ଉଦିତ ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ପେଟ୍ରୋଲରେ ଇଥାନଲ ବ୍ଲେଣ୍ଡିଂ ପ୍ରକଳ୍ପ ଦେଖି କେନ୍ଦ୍ରମନ୍ତ୍ରୀ ମୁଁ ବିଶେଷ ପ୍ରଭାବିତ । ଭାରତ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ବେଳେ ଏହି ବିଷୟରେ ଉଭୟ ଛାତ୍ରଙ୍କ ମଧ୍ୟରେ ଥିବା ସ୍ପଷ୍ଟତା ମୋର ଆତ୍ମବିଶ୍ୱାସ ବଢାଇଛି ।

ଆଗାମୀ ଦିନରେ ବିଜ୍ଞାନ ଓ ଟେକ୍ନୋଲୋଜି ମାଧ୍ୟମରେ ନୂଆ ଅର୍ଥନୀତି ତିଆରି ହେବ । ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଅର୍ଥନୀତି ହେବ । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭର ହେବାକୁ ପଡିବ । ଆତ୍ମନିର୍ଭର ଅର୍ଥ ନିଜ ଗୋଡରେ ଠିଆ ହେବା । ଆତ୍ମନିର୍ଭର ହେବାକୁ ହେଲେ ନିଯୁକ୍ତିଦାତା ହେବାକୁ ପଡିବ । ଚାକିରି ଦେବା ପାଇଁ ହେଲେ ଇନୋଭେସନ ତିଆରି କରିବା ପାଇଁ ପଡିବ । ବଡ ବଡ ପ୍ରମୁଖ ଶିକ୍ଷାନୁଷ୍ଠାନରେ ଯେଉଁ ପାଠ ପଢାଯାଉଛି, ତାହାର ବୀଜ ରୋପଣ ନବୋଦୟ ବିଦ୍ୟାଳୟରେ ହୋଇସାରିଲାଣି । ଆଗାମୀ ଦିନରେ ଦେବଗଡର ପିଲାମାନେ ଆତ୍ମନିର୍ଭରତାର ବୈଶ୍ୱିକ ମଡେଲ ତିଆରି କରିବେ ଏବଂ ନବଦୋୟର ବିଦ୍ୟାଳୟ ତାହାର ପ୍ରୟୋଗଶାଳା ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଦେବଗଡ଼ ଜିଲ୍ଲା ଖେଳୁଆଡ ମନୋଭାବ ରଖୁଥିବା ପିଲାମାନଙ୍କର ଅଞ୍ଚଳ । ଏଠାରେ ଫୁଟବଲ ଖେଳ ପ୍ରତି ଛାତ୍ରଛାତ୍ରୀ ମାନଙ୍କର ବେଶ୍ ଆଗ୍ରହ ଓ ଉତ୍ସାହ ଅଛି । ମୋଦି ସରକାରରେ ଖୋଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆକୁ ପ୍ରୋତ୍ସାହନ ଦିଆଯାଉଛି । ଦେବଗଡ଼ ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ଫୁଟବଲ୍ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ଛାତ୍ରଛାତ୍ରୀଙ୍କୁ ଫୁଟବଲ ଖେଳ ପ୍ରତି ଅଧିକ ପ୍ରୋତ୍ସାହିତ କରିବ । ଫୁଟବଲ୍ ଫର୍ ସ୍କୁଲ ଅନ୍ତର୍ଗତ ଦେବଗଡ଼ ଜିଲ୍ଲାରେ ମୋଟ ୫୦ଟି ସ୍କୁଲରେ ୨୭୩ଟି ଫୁଟବଲ ବିତରଣ କରାଯିବ ।

ଉଲ୍ଲେଖନୀୟ ଯେ, ଦେବଗଡ଼ ପିଏମ୍ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ମୋନାଲିସା ମଲ୍ଲିକ ଓ ବିଦୁସ୍ମିତା ଧରୁଆ କେନ୍ଦ୍ରମନ୍ତ୍ରୀଙ୍କୁ ଏକ କଳାକୃତି ପ୍ରଦାନ କରିଥିଲେ, ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।