କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ସଫଳତାର ସୂତ୍ର: ପାଣ୍ଡିଆନ

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ଜର୍ମାନୀରେ ଓଡିଆ ବୈଜ୍ଞାନିକଙ୍କ ଉଦାହରଣ ଦେଲେ ପାଣ୍ଡିଆନ

ସମ୍ବଲପୁର ମଣ୍ଡଳିଆରେ ନୂଆ-ଓ କାର୍ଯ୍ୟକ୍ରମ

ସମ୍ବଲପୁର,୧୩/୦୧/୨୦୨୪: ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହୋଇ ପାରିଛନ୍ତି ସମ୍ବଲପୁରର ଲୋକ। ସରକାରୀ କଲେଜରେ ପାଠ ପଢି ଏତେ ବଡ ପଦବୀକୁ ଯାଇ ପାରିଛନ୍ତି ପ୍ରମୋଦ କୁମାର ମିଶ୍ର। ସେ ସମ୍ବଲପୁରର ଜିଏମ କଲେଜର ଛାତ୍ର ଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସରକାରୀ କଲେଜରୁ ପାଠ ପଢି ସେ ଆଜି ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ପାରିଛନ୍ତି। ଶୀର୍ଷରେ ପହଞ୍ଚି ମଧ୍ୟ ପରିଶ୍ରମ କେବେ ବନ୍ଦ କରି ନାହାନ୍ତି ପ୍ରମୋଦ ମିଶ୍ର ବୋଲି କହିଛନ୍ତି ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ସମ୍ବଲପୁରର ମଣ୍ଡଳିଆ ଠାରେ ଅନୁଷ୍ଠିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ କଠିନ ପରିଶ୍ରମର କିଛି ବିକଳ୍ପ ନାହିଁ ବୋଲି ପିଲାଙ୍କୁ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର ଓ ଜର୍ମାନୀରେ ବୈଜ୍ଞାନିକ ଥିବା ପଶ୍ଚିମ ଓଡ଼ିଶାର ପୁଅ ଶେଷ କିଷାନଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ।

କିଛି ଦିନ ତଳେ ଦିନେ ରବିବାରରେ ପ୍ରମୋଦ ମିଶ୍ରଙ୍କୁ ପାଣ୍ଡିଆନ ଫୋନ କରିଥିଲେ। ସେ ଦିନ ରବିବାର ହୋଇଥିବାରୁ ସୌଜ୍ୟନତା ଦୃଷ୍ଟିରୁ ରବିବାରରେ ଫୋନ କରିଥିବାରୁ କଥା ଆରମ୍ଭରୁ ପାଣ୍ଡିଆନ କ୍ଷମା ମାଗିଥିଲେ ପ୍ରମୋଦ ମିଶ୍ରଙ୍କୁ। ତେବେ ପ୍ରମୋଦ ମିଶ୍ର କହିଥିଲେ ଯେ ସେ ଅଫିସରେ ଅଛନ୍ତି। ସଫଳତାର ଶୀର୍ଷରେ ପହଞ୍ଚିଥିବା ଜଣେ ବ୍ୟକ୍ତି ରବିବାରରେ ମଧ୍ୟ ଅଫିସରେ କାମ କରୁଛନ୍ତି। ଏହା ହିଁ କଠିନ ପରିଶ୍ରମ ବୋଲି ପାଣ୍ଡିଆନ ଉଦାହରଣ ଦେଇଥିଲେ।

ସେହିଭଳି ପଶ୍ଚିମ ଓଡ଼ିଶାର ଆଉ ଜଣେ ଉଜ୍ଜ୍ୱଳ ତାରକା ଶେଷ କିଷାନଙ୍କ ଉଦାହରଣ ଦେଇଥିଲେ ପାଣ୍ଡିଆନ। ପିଲାଟି ବେଳୁ ବାପା ମା ଛେଉଣ୍ଡ ଥିଲେ ଶେଷ କିଷାନ। ଗାଁ ସ୍କୁଲରେ ପାଠ ପଢୁଥିଲେ। ପେଟ ପୋଷିବା ପାଇଁ ନିଜେ କାମ ମଧ୍ୟ କରୁଥିଲେ। କଠିନ ପରିଶ୍ରମ, ପ୍ରବଳ ଇଚ୍ଛାଶକ୍ତି ଓ ନିଷ୍ଠାପର ଅଧ୍ୟବସାୟ ବଳରେ ସେ ଭୁବନେଶ୍ୱର ନାଇଜରରେ ପଢିଲେ ଏବଂ ଗୋଲ୍ଡ ମେଡାଲିଷ୍ଟ ମଧ୍ୟ ହେଲେ। ପରବର୍ତ୍ତୀ ସମୟରେ ସେ ଜର୍ମାନୀର ବୈଜ୍ଞାନିକ ହୋଇ ପାରିଲେ। ଏବେ ସେ ଓଡିଶାରେ ଫାର୍ମା କମ୍ପାନୀ ଖୋଲି ବହୁ ଲୋକଙ୍କୁ ନିଯୁକ୍ତି ଦେବାକୁ ଚାହୁଁଛନ୍ତି ବୋଲି ପାଣ୍ଡିଆନ ପିଲାଙ୍କୁ ଉଦାହରଣ ଦେଇ ନିଜ ଭବିଷ୍ୟତ ଗଢିବାରେ ଟିପ୍ସ ଦେଇଥିଲେ ପାଣ୍ଡିଆନ।

ସେହିପରି ସୋସିଆଲ ମିଡ଼ିଆରେ ଅଧିକ ସମୟ ବିତାଇଲେ ନିଜର ପାଠ ପଢିବାର ଦକ୍ଷତା ହ୍ରାସ ପାଇବ ବୋଲି କହିଥିଲେ ପାଣ୍ଡିଆନ। ଆତ୍ମବିଶ୍ୱାସର ସହ ଦୈନିକ ୧୪ ଘଣ୍ଟା ପରିଶ୍ରମ କଲେ ସଫଳତା ହାତମୁଠାକୁ ଆପଣାଛାଏଁ ଆସିବ। ୫ ବର୍ଷ ଖଟିଲେ ଆଗାମୀ ୫୦ ବର୍ଷ ଖୁସିରେ କଟାଇବେ ବୋଲି କହିଥିଲେ ପାଣ୍ଡିଆନ।

ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକ୍ତିତ୍ୱର ବିକାଶ କରିବାକୁ ପଡିବ। ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ଅଛି ତାକୁ ବୃଦ୍ଧି କରିବାକୁ ସୁଯୋଗ ଦେବାକୁ ପଡିବ। କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶଗ୍ରହଣ କରିବା ଅତି ମହତ୍ତ୍ୱପୂର୍ଣ୍ଣ। ପ୍ରତିଯୋଗିତାରେ ଯେତେ ଖୁସି ମିଳିବ, ଅଂଶଗ୍ରହଣ କଲେ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବ ବୋଲି ପାଣ୍ଡିଆନ ପିଲାମାନଙ୍କୁ ଉପଦେଶ ଦେଇଛନ୍ତି।