ଜିତିବା ଅପେକ୍ଷା ଶିଖିବା ଜରୁରୀ: କାର୍ତ୍ତିକ ପାଣ୍ଡିଆନ

ଗଜପତିରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଲେ ପାଣ୍ଡିଆନ। ସୋସିଆଲ ମିଡ଼ିଆରେ ଅଧିକ ସମୟ ନଷ୍ଟ ନ କରିବାକୁ ପରାମର୍ଶ।

ପ୍ରତିବର୍ଷ ନୂଆ-ଓ କାର୍ଯ୍ୟକ୍ରମର ଆୟୋଜନ ହେବ

ଭୁବନେଶ୍ୱର, ୨୩/୦୧/୨୦୨୪: ସୋସିଆଲ ମିଡ଼ିଆ ଦୁଇ ପଟ ଧାର ଥିବା ଖଣ୍ଡା ଭଳି। ତେଣୁ ସୋସିଆଲ ମିଡ଼ିଆରେ ଅଧିକ ସମୟ ନଷ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଜି ଗଜପତି ଜିଲ୍ଲାରେ ଆୟୋଜିତ ନୂଆ ଓଡିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର କିଛି ଟିପ୍ସ ଦେବାକୁ ଯାଇ ପାଣ୍ଡିଆନ କହିଛନ୍ତି ନିଜର ସ୍ୱପ୍ନ ପୂରଣ କରିବାରେ ସାମାଜିକ ଗଣମାଧ୍ୟମ ସହାୟକ ହୋଇପାରିବ। କିନ୍ତୁ ଏଥିରେ ଅଧିକ ସମୟ ନଷ୍ଟ କରିବା ଉଚିତ ନୁହେଁ।

ନୂଆ-ଓ କାର୍ଯ୍ୟକ୍ରମ ପ୍ରତି ଥିବା ଛାତ୍ରଛାତ୍ରୀଙ୍କ ଥିବା ଆଗ୍ରହ ଦୃଷ୍ଟିରୁ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ। କାରଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ପାଇଁ ଏହା ଏକ ମାଧ୍ୟମ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଜୀବନରେ ପାଠପଢା ଯେତିକି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ବିକାଶ ମଧ୍ୟ ସେତିକି ଜରୁରୀ। ପ୍ରତିଯୋଗିତାରେ ଜିତିଲେ ଯେତିକି ଖୁସି ଲାଗେ, ଭାଗ ନେଲେ ସେତିକି ଶିକ୍ଷା ମିଳିଥାଏ। ଯାହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି କରିପାରିବ ବୋଲି ସେ କହିଥିଲେ।

ବଡ ବଡ ସହରର ବଡ ବଡ କଲେଜରେ ପାଠ ପଢୁଥିବା ପିଲାଙ୍କ ପରି ଗଜପତିର ଛାତ୍ରଛାତ୍ରୀଙ୍କୁ ଆଧୁନିକ ଓ ଉନ୍ନତ ଶିକ୍ଷାଦାନର ସୁଯୋଗ ଦେବାକୁ ସବୁ କଲେଜର ରୂପାନ୍ତରଣ କାର୍ଯ୍ୟ ଚାଲିଛି। ଏହି ଦ୍ୱାରା ଛାତ୍ରଛାତ୍ରୀମାନେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ ଓ ସ୍ମାର୍ଟ ଲ୍ୟାବ ସୁବିଧା ପାଇବେ। ଯାହା ଦ୍ୱାରା ସେମାନଙ୍କର ବଡ ବଡ ସ୍ୱପ୍ନ ପୂରଣ ହୋଇପାରିବ ବୋଲି ପାଣ୍ଡିଆନ କହିଥିଲେ।