ପୂର୍ବତନ ଆଇଏଏସ୍ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି।

ଦୁର୍ନୀତି ଘଟଣାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର, ୨୫/୦୧/୨୦୨୪: ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଓଡ଼ିଶା ଗ୍ରାମୀଣ ଗୃହ ନିର୍ମାଣ ଉନ୍ନୟନ ନିଗମ (ଓଆରଏଚଡିସି)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଭିଜିଲାନ୍ସ କୋର୍ଟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

ବିନୋଦ କୁମାରଙ୍କ ସହ ଆଉ ଅନ୍ୟ ୪ ଜଣ ପୂର୍ବତନ ଓଆରଏଚଡିସି ଅଧିକାରୀଙ୍କୁ ମଧ୍ୟ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି।

ଅନ୍ୟ ୪ ଜଣ ଦୋଷୀ ହେଲେ ପୂର୍ବତନ କମ୍ପାନି ସଚିବ ସ୍ୱସ୍ତି ରଞ୍ଜନ ମହାପାତ୍ର, ପୂର୍ବତନ ଆକାଉଣ୍ଟ ଅଧିକାରୀ ପ୍ରଦୀପ କୁମାର ରାଉତ, ପୂର୍ବତନ କନିଷ୍ଠ ଋଣ ଅଧିକାରୀ ସତ୍ୟପ୍ରକାଶ ବେହେରା ଓ ସିଷ୍ଟମ ଆନାଲିଷ୍ଟ ପୂର୍ବତନ ଆସିଷ୍ଟାଣ୍ଟ ଜ୍ଞାନେନ୍ଦ୍ର ସ୍ୱାଇଁ।

୩ ବର୍ଷ ଜେଲ ଦଣ୍ଡ ସହ କୋର୍ଟ ସେମାନଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱର ଓଆରଏଚଡିସିର ଏହି ୫ ଜଣ ଅଧିକାରୀ ବ୍ୟକ୍ତିଗତ ଋଣ ମଞ୍ଜୁର ଓ ବିତରଣ ବାହାନାରେ ଲିଗାଲ ରିଟେନରଙ୍କ ପରାମର୍ଶକୁ ଅଣଦେଖା କରି ଗ୍ରାମୀଣ ଗରିବଙ୍କ ପାଇଁ ଥିବା ଲକ୍ଷ ଲକ୍ଷ ଟଙ୍କା ଅର୍ବାନ ବିଲ୍ଡର ମେସର୍ସ ସିତାରା ବିଲଡକନ୍ ପ୍ରାଇଭେଟ୍ ଲିମିଟେଡକୁ ହସ୍ତାନ୍ତର କରିଥିଲେ।