ପିଙ୍କ ସିଟି ଯାଇ ଆମେର ଦୁର୍ଗ ପରିଦର୍ଶନ କଲେ ମାକ୍ରୋନ

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଭାରତରେ ପହଞ୍ଚି ପ୍ରଥମେ ରାଜସ୍ଥାନ ଗସ୍ତ କରିଛନ୍ତି।

ସାଧାରଣତନ୍ତ୍ର ଦିବସରେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତି

ନୂଆଦିଲ୍ଲୀ, ୨୫/୦୧/୨୪: ଭାରତର ୭୫ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍।

ପ୍ରଥମେ ସେ ଭାରତରେ ପହଞ୍ଚି ଗୁରୁବାର ରାଜସ୍ଥାନର ଜୟପୁର ଯାଇ ଆମେର ଦୁର୍ଗ ପରିଦର୍ଶନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ମାକ୍ରୋନଙ୍କ ସହ ଆମେର କିଲ୍ଲା ଯାଇଥିଲେ, ଯେଉଁଠାରେ ସ୍ଥାନୀୟ କଳାକାରମାନେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରିଥିଲେ।

ଜୟପୁରରେ ପହଞ୍ଚିଥିବା ଭାରତର ପ୍ରଧାନମନ୍ତ୍ରୀ ମୋଦୀ ମାକ୍ରୋନଙ୍କ ସହ ଜନ୍ତରମନ୍ତର ପରିଦର୍ଶନ କରିବେ। ଏହାପରେ ଉଭୟ ନେତା ଜନ୍ତରମନ୍ତରରୁ ସାଙ୍ଗାନେରୀ ଗେଟ୍ ପର୍ଯ୍ୟନ୍ତ ଏକ ମିଳିତ ରୋଡ୍ ସୋ’ରେ ଭାଗ ନେବେ।

ଚଳିତ ବର୍ଷ ଉଭୟ ଦେଶ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀର ୨୫ତମ ବାର୍ଷିକୀ ପାଳନ କରୁଛନ୍ତି। ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଷଷ୍ଠ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଯୋଗ ଦେଉଛନ୍ତି।