ରାଉରକେଲାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ସମୀକ୍ଷା କଲେ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ଓଡ଼ିଶାକୁ ହକିର ଏକ ବିଶ୍ୱସ୍ତରୀୟ ହବରେ ପରିଣତ କରିବା ପାଇଁ ପ୍ରଶିକ୍ଷକ ଓ ଖେଳାଳିଙ୍କ କଠିନ ପରିଶ୍ରମ ଓ ପ୍ରୟାସକୁ ସେ ପ୍ରଶଂସା କରିଛନ୍ତି।

ରାଉରକେଲାରେ ରହିଛି ବିଶ୍ୱର ଶ୍ରେଷ୍ଠ ହକି ଷ୍ଟାଡିୟମ: ପାଣ୍ଡିଆନ

ଭୁବନେଶ୍ଵର, ୨୨/୦୨/୨୦୨୩: ଆଜି ରାଉରକେଲାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିକଟରେ ହେବାକୁ ଥିବା ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ପରିଦର୍ଶନ କରିଥିଲେ। ଖୁବଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସୁବିଧାକୁ ଉଦଘାଟନ କରିବେ ।

ଏହି ଅବସରରେ ସେ କହିଥିଲେ ସୁନ୍ଦରଗଡ଼ ଜିଲ୍ଲାରେ ବହୁ କ୍ରୀଡ଼ା ପ୍ରତିଭା ଅଛନ୍ତି। ଏହି ସମ୍ଭାବନାକୁ ଆହୁରି ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି କରୁଛନ୍ତି। ରାଉରକେଲା ସହରରେ ବିଶ୍ୱର ଶ୍ରେଷ୍ଠ ଓ ବୃହତ୍ତମ ହକି ଷ୍ଟାଡିୟମ ସହ ଆଥଲେଟିକ ଷ୍ଟାଡିୟମ, ଇନଡୋର ସୁଇମିଂ ପୁଲ, ଇନଡୋର କ୍ରୀଡ଼ା ସୁବିଧା ରହିଛି। ରାଉରକେଲା ଜିମ୍ନାଷ୍ଟିକ୍ ଏକାଡେମୀ ହେବା ପରେ ଏହି ସହରରୁ ଅନେକ ଭବିଷ୍ୟତର ଜିମ୍ନାଷ୍ଟ ଉଭା ହେବେ ବୋଲି କହିଥିଲେ।

ଏହା ପରେ ପାଣ୍ଡିଆନ ପାନପୋଷ ସ୍ପୋର୍ଟସ ହଷ୍ଟେଲ ପରିଦର୍ଶନ କରି ସେଠାରେ ପ୍ରଶିକ୍ଷକ ଓ ଖେଳାଳିଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାକୁ ବିଶ୍ୱ ହକି ମାନଚିତ୍ରରେ ସ୍ଥାନିତ କରିବା ପାଇଁ ସେମାନଙ୍କ ଉଦ୍ୟମକୁ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ପ୍ରଶଂସା କରିଥିଲେ। ହଷ୍ଟେଲରେ ଥିବା ସୁବିଧା, କୋଚିଂ, ଶିକ୍ଷା, ଖାଦ୍ୟ ଆଦି ବିଷୟରେ ଆଲୋଚନା କରିଥିଲେ।

ଏହି ଗସ୍ତ ସମୟରେ ପାଣ୍ଡିଆନଙ୍କ ସହ କ୍ରୀଡ଼ା ସଚିବ ବିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।