୫-ଟି ଅଧ୍ୟକ୍ଷଙ୍କୁ ଟମାଟୋ ମାଡ

ବେଲଗୁଣ୍ଠା ଅଞ୍ଚଳରେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ବିରୋଧ କରି ଟମାଟୋ ଫିଙ୍ଗିବା ଘଟଣାରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି।

ସମ୍ପୃକ୍ତ ବ୍ୟକ୍ତିକୁ ନିର୍ଧୁମ ଛେଚିଲେ ବିଜେଡି କର୍ମୀ

ଭୁବନେଶ୍ବର,୨୨/୦୨/୨୦୨୪: ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ରାଜ୍ୟସାରା ଘୋର ବିରୋଧ କରାଯାଉଛି। ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ଜଣେ ଯୁବକ ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିଛନ୍ତି। ପରେ ସମ୍ପୃକ୍ତ ଯୁବକଙ୍କୁ ସ୍ଥାନୀୟ ପୋଲିସ ଓ ବିଜେଡି କର୍ମୀ କାବୁ କରି ନିର୍ଧୁମ ମାଡ ମାରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପାଣ୍ଡିଆନଙ୍କ ଉପରକୁ ଟମାଟୋ ଫିଙ୍ଗିଥିବା ଯୁବକ ଜଣକ ଜଣେ କଂଗ୍ରେସ କର୍ମୀ ଓ ସେ ବେଲଗୁଣ୍ଠା ବ୍ଲକର ବାସିନ୍ଦା ବୋଲି ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଛି। ତେବେ ଏହି ଘଟଣାକୁ ପାଣ୍ଡିଆନ ସଭାସ୍ଥଳରେ ଆକ୍ଷେପ କରି କହିଛନ୍ତି ଯେ, ମୋ ଉପରେ ଲୋକମାନେ ଅଣ୍ଡା, ଟମାଟୋ, କାଳି ଓ ଚପଲ ପକାଇବା ସତ୍ତ୍ୱେ ବି ମୁଁ ଓଡ଼ିଶାବାସୀଙ୍କ ସେବା କରିବି।