ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକରେ ବୃଦ୍ଧି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ ୩୦୦ ରୁ ହେଲା ୪୦୦ ଟଙ୍କା, ଯାତାୟତ ଖର୍ଚ୍ଚ ଅତିରିକ୍ତ ୧୦୦ ଟଙ୍କା। ସମୁଦାୟ ଦୈନିକ ପାରିଶ୍ରମିକ ୫୦୦ ଟଙ୍କା।

ଉପକୃତ ହେବେ ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ

ଭୁବନେଶ୍ବର, ୧୪.୦୩.୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି। ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ଅତିରିକ୍ତ ୧୦୦ ଟଙ୍କା ପାଇବେ। ସମୁଦାୟ ୫୦୦ ଟଙ୍କା ପାଇବେ।

ଏହାଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨.୮୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ସାଧନ କର୍ମୀ ମାନଙ୍କ ପକ୍ଷରୁ ଏ ସଂପର୍କରେ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ‘ଓଡିଶା ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ବ ଓ ସ୍ବଚ୍ଛତା ସମିତି’ରେ କାମ କରୁଥିବା ଏହି ସାଧନ କର୍ମୀମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଯଥା – ମନରେଗା, ପକ୍କା ଘର, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ ଭଳି ଅନେକ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା (Social Audit) କରି ସ୍ବଚ୍ଛତା ରକ୍ଷା କରିବାରେ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଥିରେ ମିଶନ ଶକ୍ତି ମା ମାନେ ବହୁ ସଂଖ୍ୟାରେ ନିୟୋଜିତ ଅଛନ୍ତି ।