ମଜବୁତ ହେଉଛି ବଲାଙ୍ଗୀର ବିଜେଡି ସଂଗଠନ

ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ।

ଶଙ୍ଖ ଧରିଲେ ପୂର୍ବତନ କଂଗ୍ରେସର ସାଧାରଣ ସମ୍ପାଦକ ଆକାଶ ମିଶ୍ର

ଭୁବନେଶ୍ୱର, ୨୬/୦୪/୨୦୨୪: ବଲାଙ୍ଗୀର ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ସାଧାରଣ ସମ୍ପାଦକ ଆକାଶ ମିଶ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ କଣ୍ଟାବାଞ୍ଜି ଏବଂ ପଦ୍ମପୁର ନିର୍ବାଚନମଣ୍ଡଳୀର ବିଜେଡି ପର୍ଯ୍ୟବେକ୍ଷକ ମୌସମ ମିଶ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ଆକାଶ ମିଶ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର, ଓ ଶ୍ରୀ ମିଶ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ବଲାଙ୍ଗୀର ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ମିଶ୍ର କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ଆକାଶ ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ଗୀତାଞ୍ଜଳୀ ଦାସ, ରତ୍ନାକର ମିଶ୍ର, ରତି ସାହୁ, ବିଜୟ ବେହେରା, ବୃନ୍ଦାବନ ସେଠ, ପ୍ରମିଳା ସାହୁ, ଲିନା ମିଶ୍ର, ତାପସ ସେଠ, ପ୍ରଶାନ୍ତ ତ୍ରିପାଠୀ, ଶ୍ରୀନିବାସ ମଲ୍ଲିକ, ବନିତା ନାୟକ, କୁମାର ସେଠ, ସୁଜାତା ମାଝୀ, ନରେଶ କୁମାର ସାହୁ, ପବିତ୍ର ପ୍ରଧାନ, ବିଳାସୀନ ଭୋଇ, ପୁଷ୍ପାଞ୍ଜଳି ବେହେରା, ଯଶୋଦା ଦଳେଇ, ପାର୍ବତୀ ତ୍ରିପାଠୀ ଓ ବିରେନ୍ଦ୍ର ଶାହାଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ ।