ଦିଲ୍ଲୀ ଯିବେ ୨୬ ଜଣ ବିଧାୟକ, ରାଷ୍ଟ୍ରପତିଙ୍କୁ ଭେଟି ଜଣାଇବେ କୃତଜ୍ଞତା

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୬ ଜଣ ବିଧାୟକ। ବାଚସ୍ପତିଙ୍କ ନେତୃତ୍ବରେ ବିଧାୟକମାନଙ୍କର ମିଳିତ ଟିମ୍ ଓଡ଼ିଶାର ଗର୍ବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କୃତଜ୍ଞତା ଜଣାଇବା ପାଇଁ ଦିଲ୍ଲୀ ଯିବେ। ଏହି ଟିମ୍ ରେ ୨୬ ବିଧାୟକ ଓ ମନ୍ତ୍ରୀ ଅଛନ୍ତି।

ତେବେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଉଥିବା ସଦସ୍ୟ ମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି। ନେଗେଟିଭ ରିପୋର୍ଟ ଆସିଥିବା ସଦସ୍ୟ ମାନେ ଆଜି ଦିନ ୧୨ଟାରେ ବିମାନ ଯୋଗେ ଦିଲ୍ଲୀ ଯିବେ। ଏହି ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ, କଂଗ୍ରେସର ୩ ଜଣ, ବିଜେପିର ୬ ଏବଂ ସିପିଆଇର ଜଣେ ବିଧାୟକ ଅଛନ୍ତି। ବୁଧବାର ଏହି ବିଧାୟକ ମାନେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଦିଲ୍ଲୀ ଯାଉଥିବା ଏହି ପ୍ରତିନିଧି ମଣ୍ଡଳୀରେ ଉପବାଚସ୍ପତି ରଜନୀକାନ୍ତ ସିଂହ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ ଓ ପ୍ରତାପ କେଶରୀ ଦେବ, ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଦେବୀପ୍ରସାଦ ମିଶ୍ର, ସୁଦାମ ମାରାଣ୍ଡି , ଶାରଦା ନାୟକ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥୀ ବେହେରା, ପଦ୍ମିନୀ ଦିଆନ, ତାରାପ୍ରସାଦ ବାହିନୀପତି, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ନିତ୍ୟାନନ୍ଦ ଗଣ୍ଡ, ସୁଧୀର କୁମାର ସାମଲ, ମନୋହର ରନ୍ଧାରୀ, ରାଜେନ୍ଦ୍ର କୁମାର ସାହୁ, ରାଜକିଶୋର ଦାସ, ଅନନ୍ତ ନାରାୟଣ ଜେନା, ରମେଶ ଚନ୍ଦ୍ର ବେହେରା, ନାଉରୀ ନାୟକ ଓ କୁସୁମ ଟେଟେ ପ୍ରମୁଖ ସାମିଲ ହେବେ ବୋଲି ଜଣାପଡିଛି।