ରାଗିଂ ରୋକିବାକୁ କଠୋର ହେଲେ ସରକାର

ଭୁବନେଶ୍ବର : ଆରମ୍ଭ ହେବାକୁ ଯାଉଛି ନାମଲେଖା ଋତୁ। ତା’ପୂର୍ବରୁ ରାଗିଂ ରୋକିବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିୟମ କରାଯାଇଛି। କୌଣସି ଶିକ୍ଷାନୁଷ୍ଠାନ ଛାତ୍ର/ଛାତ୍ରୀ ଯଦି ରାଗିଂରେ ସମ୍ପୃକ୍ତ ଥିବା‌ ଜ‌ଣାପଡ଼େ ତେବେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏତଲା ଦେବାକୁ ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ କଲେଜ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନିର୍ଦେଶ ଦିଆଯାଇଛି।

କେବଳ ସେତିକି ନୁହେଁ, ରାଗିଂ ଉପରେ ନଜର ରଖିବାକୁ ତ୍ରିସ୍ତରୀୟ କମିଟି ଗଠନ କରାଯିବ। ରାଜ୍ୟ, ଜିଲ୍ଲା ଓ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଗଢ଼ା ହେବାକୁ ଥିବା କମିଟି ବିଭିନ୍ନ ସମୟରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଚାନକ ଗସ୍ତ କରି ଯାଞ୍ଚ କରିବେ। କଲେଜସ୍ତରରେ ଆଣ୍ଟି ରାଗିଂ ସ୍କ୍ବାଡ୍‌ ଗଠନ କରାଯିବ। ଯେଉଁଥିରେ ୩ରୁ ୪ ଜଣ ଅଧ୍ୟାପକ ସାମିଲ ରହିବେ।

ଶିକ୍ଷାବର୍ଷ ଆରମ୍ଭରେ ପିଲାଙ୍କ ଅଭିଭାବକ www.antiragging.in ଓ www.amanmovement.org ୱେବସାଇଟ୍‌ରେ ୨୦୨୧ ଅକ୍ଟୋବର ୨୭ରେ ୟୁଜିସି ପକ୍ଷରୁ ଜାରି ଆଣ୍ଟିଂ ରାଗିଂ ଅଣ୍ଡରଟେକିଂ ଦାଖଲ କରିବେ। ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କଠାରୁ ଅନେକ୍ସ ସି(୧) ଓ ସି(୨)ରେ ଅଣ୍ଡରଟେକିଂ ଲେଖି ରଖିବେ। ଏହା କୌଣସି ଆଫିଡେବିଟ୍‌ ହୋଇ ନ ଥିବାରୁ ନୋଟାରିର ଦସ୍ତଖତର ଆବଶ୍ୟକତା ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।