୪ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର

ବିଜେପି ସରକାର ମନ୍ତ୍ରୀ ପରିଷଦ ଉପସ୍ଥିତିରେ ଆଜି ପୁରୀ ଶ୍ରୀମନ୍ଦିରର ୪ଟି ଦ୍ୱାର ଖୋଲାଯାଇଛି।

ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ

ଭୁବନେଶ୍ବର, ୧୩/୦୬: ଦୀର୍ଘ ୪ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର। ଶ୍ରଦ୍ଧାଳୁମାନେ ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଗୁରୁବାର ସକାଳେ ମଙ୍ଗଳ ଆଳତି ସମୟରେ ମନ୍ତ୍ରୀ ପରିଷଦ ଉପସ୍ଥିତିରେ ପୁରୀ ଜଗନ୍ନାଥ ମନ୍ଦିରର ୪ଟି ଦ୍ୱାର ଖୋଲାଯାଇଛି।

ଗତ କାଲି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ଗ୍ରହଣ କରିବା ପରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପ୍ରଥମ କ୍ୟାବିନେଟ ବୈଠକରେ ବୁଧବାର ଏ ନେଇ ନିଷ୍ପତ୍ତି ନିଆଯାଇଥିଲା। ବିଜେପି ସରକାର ଗଠନ କଲେ ପ୍ରଥମେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ କୋଭିଡ୍-୧୯ ମହାମାରୀ ସମୟରେ କଟକଣା ଜାରି କରାଯାଇ ଶ୍ରୀମନ୍ଦିରର ୪ଟି ଦ୍ୱାର ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ କେବଳ ସିଂହଦ୍ୱାର ଭକ୍ତଙ୍କ ପାଇଁ ଖୋଲାଯାଇଥିବା ବେଳେ ଅନ୍ୟ ତିନୋଟି ଦ୍ୱାର- ଅଶ୍ୱ ଦ୍ୱାର, ବ୍ୟାଘ୍ର ଦ୍ୱାର ଏବଂ ହସ୍ତୀ ଦ୍ୱାର ବନ୍ଦ ରହିଥିଲା। ଯାହାଦ୍ୱାରା ମହାପ୍ରଭୁଙ୍କ ଦର୍ଶନ ପାଇଁ ସିଂହଦ୍ଵାର ସମ୍ମୁଖରେ ପ୍ରବଳ ଭିଡ ପରିଲକ୍ଷିତ ହେଉଥିଲା ଏବଂ ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।