ମୋହନ ମାଝୀଙ୍କ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ଯାଏଁ ଯାତ୍ରା

ମୋହନ ମାଝୀ ୧୯୯୭ ମସିହାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ।

ପଞ୍ଚଦଶ ମୁଖ୍ୟମନ୍ତ୍ରୀ ସିଂହାସନର ଅଧିକାରୀ

ଭୁବନେଶ୍ବର, ୧୧/୦୬: ମୋହନ ଚରଣ ମାଝୀ ଓଡ଼ିଶାର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇ ପ୍ରଥମ ବିଜେପି ସରକାରର ନେତୃତ୍ୱ ନେଇଛନ୍ତି। ମୋହନ କେନ୍ଦୁଝର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରାଇକଳାରୁ ପ୍ରଥମେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମୋହନ ଏକ ଶିଶୁ ମନ୍ଦିର ସ୍କୁଲରେ ଶିକ୍ଷକ ମଧ୍ୟ ରହିଥିଲେ। ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ସରପଞ୍ଚ ଭାବେ କାର୍ଯ୍ୟ କରିଥିଲେ। ୨୦୦୦ ମସିହାରେ ପ୍ରଥମ ଥର ପାଇଁ କେନ୍ଦୁଝରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ବିଜେପି ଆଦିବାସୀ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୦୪ ଓ ୨୦୧୯ରେ ସେ ପୁନର୍ବାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିକଟରେ ହୋଇଥିବା ୨୦୨୪ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ମୀନା ମାଝୀଙ୍କୁ ୧୧,୫୭୭ ଖଣ୍ଡ ଭୋଟରେ ପରାସ୍ତ କରି ଏହି ଆସନ ବଜାୟ ରଖିଥିଲେ। ବିଜେଡ଼ି ସରକାର ଥିବା ବେଳେ ବିରୋଧୀ ଦଳର ମୁଖ୍ୟ ସଚେତକ ଥିଲେ ମୋହନ, ଯିଏ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ।

ରାଜ୍ୟରେ ବିଜେପି ୧୪୭ଟି ଆସନରୁ ୭୮ଟି ଆସନରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ଏକାକୀ କ୍ଷମତାକୁ ଆସିବାର ସପ୍ତାହକ ପରେ ମୋହନ ମାଝୀଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରାଯାଇଛି। ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ମୋହନ। ଆଜି ତାଙ୍କୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବା ପରେ ଆସନ୍ତା କାଲି ଶପଥ ଗ୍ରହଣ କରିବେ। ଚଳିତ ଥର ଉପମୁଖ୍ୟମନ୍ତ୍ରୀ ଭାବରେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କୁ ଦାୟିତ୍ୱ ମିଳିଛି।