ଶଙ୍ଖଭବନକୁ ନେଇ ତେଜିଲା ରାଜନୀତି

ବିଜେଡ଼ିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

ରାଜସ୍ୱ ମନ୍ତ୍ରୀଙ୍କ ବୟାନକୁ ସମାଲୋଚନା କଲେ ପ୍ରଣବ

ଭୁବନେଶ୍ବର, ୨୦/୦୭: ଶଙ୍ଖଭବନକୁ ତେଜିଛି ରାଜନୀତି। ଭୁବନେଶ୍ବରସ୍ଥିତ ବିଜେଡ଼ିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ମନ୍ତ୍ରୀଙ୍କ ଅଭିଯୋଗ ଅନୁସାରେ, ଶଙ୍ଖ ଭବନ ବେଆଇନ ଭାବେ ନିର୍ମାଣ କରାଯାଇଛି। କିସମ ପରିବର୍ତ୍ତନ କରି ଶଙ୍ଖଭବନ ତୋଳାଯାଇଛି। ସଡକର କିସମକୁ ଘରବାଡିରେ ପରିବର୍ତ୍ତନ କରି ଏହା ନିର୍ମାଣ ହୋଇଛି। ବେଆଇନ ଭାବେ ତିଆରି କରାଯାଇଥିବାରୁ ଖୁବଶୀଘ୍ର ଶଙ୍ଖ ଭବନର ତଦନ୍ତ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ପୂର୍ବରୁ ମଧ୍ୟ ଅନେକ ଥର ଶଙ୍ଖ ଭବନକୁ ବେଆଇନ ଭାବେ ନିର୍ମାଣ କରାଯାଇଥିବାର ଅଭିଯୋଗ ଆସିଥିଲା। ୪ଟି ପ୍ଲଟକୁ ମିଶାଇ ୧ ଏକର ୧୮୩ ଡିସିମିଲ ଜାଗାରେ ନିର୍ମିତ ହୋଇଛି ଶଙ୍ଖଭବନ। ସରକାରଙ୍କଠାରୁ କମ୍ ମୂଲ୍ୟରେ ମୁଖ୍ୟ ଜମି କିଣିବା ପାଇଁ ସମସ୍ତ ନିୟମକୁ ଅଣଦେଖା କରାଯାଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା।

ଏବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡ଼ି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୟାନ ପରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡ଼ି। ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଜସ୍ୱ ମନ୍ତ୍ରୀଙ୍କୁ ସମାଲୋଚନା କରି ଏକ୍ସରେ କହିଛନ୍ତି, ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ। ରାଜସ୍ୱ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା। ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା, ତାକୁ ଅନୁପାଳନ ମଧ୍ୟ କରିଥିଲା। ଏଥିରେ କୈାଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ। ନୂଆ ମନ୍ତ୍ରୀ ହୋଇଥିବା ଶ୍ରୀ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନ’ହୋଇ ଗଣମାଧ୍ୟମ ସାମ୍ନାକୁ ଆସି ମନଇଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାରୀ ନିଷ୍ପତ୍ତି ଅନୁଯାୟୀ ଅତ୍ୟନ୍ତ ସ୍ୱଚ୍ଛତାର ସହ ବିଜେଡି ସମସ୍ତ କାର୍ଯ୍ୟ କରିଛି।