ବଦଳିବନି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ: ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଗତ କାଲି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜୁ କ୍ରୀଡ଼ା ପୁରସ୍କାରର ନାମ ପରିବର୍ତ୍ତନ ନେଇ ବିଜ୍ଞପ୍ତି ଜାରି କରାଯାଇଥିଲା।

ଓଡ଼ିଶା ପ୍ରତି ବିଜୁବାବୁଙ୍କ ଅବଦାନ ଅତୁଳନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧/୦୭: ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ରାଜ୍ୟ ସରକାର ନାମ ପରିବର୍ତ୍ତନ କରି ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ନାଁ ଘୋଷଣା କରିବାର ଗୋଟିଏ ଦିନ ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ପାଇଁ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ। ଏବଂ ସରକାରଙ୍କର ମଧ୍ୟ କୌଣସି ଯୋଜନା ନାହିଁ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବଭଳି ଜାରି ରହିବ। ଏହି ସମ୍ପର୍କରେ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି। ମୋ ସରକାର ଓଡିଶାର ବରପୁତ୍ରମାନଙ୍କୁ ସମ୍ମାନ ଦିଏ। ବିଜୁ ବାବୁଙ୍କ ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ ଓଡ଼ିଶା ଓ ଭାରତ ପ୍ରତି ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଆଗରୁ ଯେମିତି ଚାଲିଥିଲା, ସେମିତି ଚାଲିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, ଗତ କାଲି ବିଜୁ କ୍ରୀଡ଼ା ସମ୍ମାନର ନାମ ପରିବର୍ତ୍ତନ କରାଯିବା ନେଇ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଯାହା ପରେ ଦିନତମାମ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା। ବିରୋଧୀ ଦଳ ବିଧାୟକ ଅରୁଣ ସାହୁ ସିଧାସଳଖ ଏହାର ଜବାବରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।