ସର୍ବଦଳୀୟ ବୈଠକରେ ସହଯୋଗ ଲୋଡିଲେ ବାଚସ୍ପତି

ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବିଧାନସଭାରେ ଶାସକକୁ ଟକ୍କର ଦେବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ବର, ୨୧/୦୭: ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରୁଖୁରୁରେ ଗୃହ ଚାଳନା ପାଇଁ ବାଚସ୍ପତି ସବୁ ଦଳର ନେତାମାନଙ୍କ ସହଯୋଗ ଲୋଡିଛନ୍ତି । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣ ପରେ ଦିନ ୧୧ଟାରେ ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଶୃଙ୍ଖଳିତ ଭାବରେ କିପରି ଗୃହ ଚାଲିବ, ସେ ନେଇ ଆଲୋଚନା ହେବା ସହ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇଯାଇଛି । ଆଗକୁ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାରୁ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କାଲିଠୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି । ଦର ବୃଦ୍ଧି, ମାଗଣା ବିଜୁଳି, ବାଲେଶ୍ୱର ସହରରେ କର୍ଫ୍ୟୁ, ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ ଘଟଣାକୁ ନେଇ ବିରୋଧୀ ଦଳ ଶାସକ ଦଳକୁ ଘେରିପାରେ । ଚଳିତ ଥର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ବିରୋଧୀ ଦଳ ପାଖରେ ବହୁ ପ୍ରମୁଖ ପ୍ରସଙ୍ଗ ରହିଛି ।

ଗତ କାଲି ବିଧାନସଭା ମୌସୁମୀ ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ଗତ କାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖି ସରକାରଙ୍କ କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନବୀନ । ଜନସାଧାରଣଙ୍କ ସ୍ୱର ହୋଇ ବିଧାନସଭାରେ ପ୍ରମୁଖ ପ୍ରସଙ୍ଗ ଉଠାଇବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟପଟେ କଂଗ୍ରେସର ବିଧାୟକ ଦଳ ନେତା ବଛା ଯାଇନଥିବା ବେଳେ ଆଗାମୀ ବିଧାନସଭା ଅଧିବେଶନରେ କଂଗ୍ରେସର ଭୂମିକା କଣ ରହିବ, ତାହା ଦେଖିବା ବାକି ରହିଲା । ଆଜି ସର୍ବଦଳୀୟ ବୈଠକରେ କଂଗ୍ରେସ ପକ୍ଷରୁ କୌଣସି ବିଧାୟକ ଯୋଗ ଦେଇନଥିବା ଦେଖିବାକୁ ମିଳିଥିଲା । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ବୈଠକରେ ଯୋଗ ଦେଇନଥିଲେ ।

ବୈଠକ ପରେ ବାଚସ୍ପତି ସୁରମା ପାଢୀ ପ୍ରତିକ୍ରିୟା ରଖି କହିଥିଲେ, ସପ୍ତଦଶ ବିଧାନସଭାର କାର୍ଯ୍ୟକ୍ରମ କିପରି ସୂଚାରୁରୂପେ ସମ୍ପାଦନ ହେବ, ସେ ନେଇ ବିଚାରବିମର୍ଶ କରି ନିଷ୍ପତି ନିଆଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ, ସମସ୍ତ ନିୟମ ଅନୁସାରେ କାର୍ଯ୍ୟଧାରାକୁ ଆଗେଇ ନେବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି । ଆଗାମୀ ଦିନରେ କିପରି ଶାନ୍ତିଶୃଙ୍ଖଳାର ସହ ବିଧାନସଭା ଅଧିବେଶନ ଚାଲିବ ସେ ନେଇ ଗୁରୁତ୍ୱାରୋପ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଠନମୂଳକ ପ୍ରସ୍ତାବକୁ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଦଳୀୟ ନେତାଙ୍କ ସମେତ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ ପ୍ରମୁଖ ଉପସ୍ଥିତ ଥିଲେ ।