ଶକ୍ତିଶାଳୀ ହେଉଛି ଲଘୁଚାପ, ନେଇପାରେ ଗଭୀର ଅବପାତର ରୂପ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହା ସମୁଦ୍ରରେ ରହି ବଳ ଗୋଟାଉଛି । ଦୁଇ ଦିନ ସମୁଦ୍ରରେ ରହିବା ପରେ ୯ ତାରିଖରେ ଏହା ଅବପାତର ରୂପ ନେବ । ପରେ ଛତିଶଗଡ ଆଡ଼କୁ ମୁହାଁଇବ । ଏହା ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତର ରୂପ ନେଇପାରେ । ଲଘୁଚାପ ପ୍ରଭାବରେ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୯ ଏବଂ ୧୦ ତାରିଖରେ ଭାରି ବର୍ଷା ହେବ । ଭୁବନେଶ୍ୱର ସମେତ ବାକି ଉପକୂଳ ଜିଲ୍ଲାରେ ୯ ତାରିଖରେ ଭାରି ବର୍ଷା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଏହି ଲଘୁଚାପ କେନ୍ଦ୍ରସ୍ଥଳରେ ବାୟୁର ଚାପ ୯୮୯ ମିଲି ବାର୍‌କୁ ଖସି ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁ ମହାନଦୀ, ଋଷିକୂଲ୍ୟା, ବଂଶଧାରା, ନାଗାବଳୀ ସମେତ ମହାନଦୀର ସମସ୍ତ ଉପନଦୀ ଫୁଲିପାରେ । ବ୍ରାହ୍ମଣୀ ଓ ବୈତରଣୀର ଜଳସ୍ତର ମଧ୍ୟ ବଢ଼ିବ ବୋଲି ସେ ସତର୍କ କରାଇଛନ୍ତି ।